ନାରୀ ସେ ତ ନାରାୟଣୀ
ନାରୀ ସେ ତ ନାରାୟଣୀ
ଶୂନ୍ଯ ଭୂମିରେ ପୁଣ୍ଯ ପ୍ରଦୀପ
ଜାଳି ଯେ ବନାଏ ନିଳୟକୁ ଦେବାଳୟ,
ସତୀତ୍ବ ବଳରେ ଆକର୍ଷି ପାରେ ଯେ
ପତିର ଆତ୍ମା..,
ଚମତ୍କୃତ କରି ଯମ ଏବଂ ଯମାଳୟ।
ନାରୀ ସେ ତ ନାରାୟଣୀ,
ଜନନୀ, ଭଗିନୀ, ଜାୟା ରୂପରେ ସେ
କୋଟି ବିଶ୍ବର ରାଣୀ।
"ଅରି "ନାହିଁ ବୋଲି ସେ ତ ଅଟେ "ନାରୀ"
ଜଗତେ କଥିତ ଯାହା,
ଜରାୟୁରୁ ସେ ତ ଅରି ବେଷ୍ଟିତ,
ଯୌନ ଶୋଷଣ
ଅବା ଦୁଷ୍କର୍ମେ ନିଷ୍ପେସିତ ଯା' କାୟା।
ନାରୀ ସେ ତ ସର୍ବଂସହା,
ଉତକ୍ଷିପ୍ତ ହେଲେ
ସାଜେ ମହାକାଳୀ
ମହିଷମର୍ଦ୍ଦିନୀ ମା'।
କୁଳଲକ୍ଷ୍ମୀ ସେ ତ ନିଜକୁ ଜଳାଇ
ଉଜ୍ଜ୍ବଳ କରେ ପିତୃ, ଶ୍ବଶୁର କୁଳ,
ଉତ୍ସୃଙ୍ଖଳା ହେଲେ
ଉତ୍ତଳା ନଦୀ ସେ ଲଙ୍ଘିଯାଏ ସୀମା
ମାନେ ନାହିଁ ଥଳକୂଳ।
ନାରୀ ସେ ତ ବୀରାଙ୍ଗନା,
ପରିସ୍ଥିତି କେବେ
ସଜାଏ ନାରୀକୁ
କୋଠୀବାଲୀ ବାରାଙ୍ଗନା।
ଶତଧା ବିଭକ୍ତ କରେ ଯେ ନିଜକୁ
ଫୁଟାଇବା ପାଇଁ ସଭିଙ୍କ ମୁଖରେ
ଖୁସିର ସୂର୍ଯ୍ୟମୁଖୀ,
ମୁଖ ବୁଜି ନିଜ ଲୁହ ପିଇଯାଏ..
ସତେ କି ଶ୍ରାବଣ ରାତିର ସେ
ପ୍ରିୟ ସଖି।
ନାରୀ ସେ ତ କଲ୍ୟାଣୀ,
ବିତରେ ବୁକୁର ମମତା..
ମୁଖର ଚିର ମଧୁମୟ ବାଣୀ।
ମରଣୋତ୍ତର ସେ ପାଏ 'ଦେବୀ' ପଦ
ସର୍ବ ଜନ ମୁଖେ ପ୍ରଶଂସାର ଇସ୍ତାହାର,
ମହୀୟସୀ ବନେ ଲୋକ ମୁଖରେ ସେ
ଫଟୋ ଚିତ୍ରରେ
ଶୋହେ ଯେବେ ଫୁଲ ହାର।
ନାରୀ ସେ ତ ପୂଜନୀୟା,
ସଫଳ ପୁରୁଷ ପଶ୍ଚାତରେ ସଦା
ସାଜି ରହିଥାଏ ଛାୟା।
ଯେ ଭୂମିରେ ନାରୀ ଚିର ନମସ୍ଯା
ଫଳପ୍ରସୂ ସେହି ଅଟଇ ପୁଣ୍ୟ ଭୂମି,
ବିଶ୍ବ ବିଖ୍ୟାତ, ସର୍ବଜନାଦୃତ
ପରିପୂର୍ଣ୍ଣ ତହିଁ
ଧନ, ଜନ, ଗୋପ ଲକ୍ଷ୍ମୀ।
ନାରୀ ସେ ବିଶ୍ବ ବନ୍ଦିନୀ,
ଆଶୀଷରେ ତା'ର
କରୁଣା ବରଷେ
ଲୋତକେ ତା' କାଳ ଅଗ୍ନି
