ମୂର୍ଖକୁ ଦିଅନା ଉପଦେଶ
ମୂର୍ଖକୁ ଦିଅନା ଉପଦେଶ
ଘନ ଘନ ଘନ ବରଷା ପଵନ
ସିହରି ଉଠଇ ମହୀ
ଗଳ ଗଳ ଗଳ ଗଳେ ଓଳି ଜଳ
ତଳୁତଳ ଯାଏ ବହି ।
ଚକ ଚକ ଚକ ଚପଳା ଚମକ
ଘଡ଼ଘଡ଼ ଘଡ଼ଘଡ଼ି
ଟପ ଟପ ଟପ ଅସରା ଆଟପ
ବେଗ ଆସେ ବଢ଼ି ବଢ଼ି ।
ସାଇଁ ସାଇଁ ବାତ ବହେ ଅବିଶ୍ରାନ୍ତ
ସୁଉ ସୁଉ ଗରଜନ
ଭାଙ୍ଗେ ମଡ଼ ମଡ଼ ଗଛ ବଡ଼ ବଡ଼
ଶାଖା ତଳେ ନିପତନ ।
ରସାଳ ଗହଳ ଶାଖାରେ ବାନର
ହୋଇ ଓଦା ସରସର
ଥରଥର ଥରି କରମ ଆଦରି
ବସିଥାଏ ନୀରବର ।
ଝାଙ୍କ ଝାଙ୍କ ଝାଙ୍କ ବାତ୍ୟାର ପ୍ରକମ୍ପ
ବୃଷ୍ଟି ପାତ ଘନ ଘନ
ଏପଟ ସେପଟ ହେଉ ସେ ମର୍କଟ
ବାୟା କରି ଵିଲୋକନ ।
ବୋଲେ ହେ ବାନର ନର ବଂଶଧର
ହୋଇ କିମ୍ପା ବୁଦ୍ଧିହୀନ
ଵାସ ଖଣ୍ଡେ କରି ନରହ କିପରି
ବର୍ଷାରେ ବିତାଅ ଦିନ ।
ଗୋଡ଼ ହାତ ତଵ ଶକ୍ତିମାନ ପ୍ଲବ
କାହିଁକି ନକରି ଘର
ତିନ୍ତି ବୁଡ଼ି ଥରି ବିପଦକୁ ବରି
ହୁଅ ଏତେ ହରବର ।
ଥଣ୍ଟରେ କିପରି ଦେଖ ବସା କରି
ଅଛି ପିଲା ଛୁଆ ଧରି
ଆସୁ ଯେତେ ବଡ଼ ବର୍ଷା ବାତ୍ୟା ଝଡ଼
ତିଳେହେଁ ନଯାଏ ଡରି ।
ଉପଦେଶ ଭଲ ଦୁର୍ଜନକୁ ଶଲ୍ୟ
କ୍ରୋଧେ ହୋଇ କମ୍ପମାନ
ଗର୍ଜି ମୂର୍ଖ କପି ବୋଲେ ଛାର ପକ୍ଷୀ
ବୋଲାଉଛୁ ବୁଦ୍ଧିମାନ ।
ଖିଙ୍କାରି କୋପରେ ଡେଇଁ ସେ ଦର୍ପରେ
ଭାଙ୍ଗିଲା ବାଇଆ ବସା
ଖଳେ ପରାମର୍ଶ ଦେଲେ ତ ଅବଶ୍ୟ
ଭୋଗିବ ନିଶ୍ଚେ ଦୁର୍ଦ୍ଦଶା ।
