ମୁରୁଖେ ହେବା ଗଣା
ମୁରୁଖେ ହେବା ଗଣା
ଅନେକ କଥା ଅଜଣା ଏଠି
ଅଳପ କିଛି ଜଣା
ଅଜଣା ଲୋକ ସବୁ କାମରେ
ହୁଅଇ ବାଟବଣା ।।
ଲେଖାପଢାରେ ଦେଖାଶୁଣାରେ
ବହୁତ ହୁଏ ଜାଣି
ଅଜଣା ଥିଲା ଭାବିଲେ ବସି
ମରମ ହୁଏ ହାଣି ।।
ତହୁଁ ଅଧିକ ଜାଣିବା ପାଇଁ
ଘାରି ହୁଅଇ ମନ
ଜାଣୁ ଯେତିକି ଅସଲ ପାଠ
ସେଇ ତ ସୁନା ଧନ ।।
ସବୁ କଥାରେ ସବୁ କାମରେ
ପାଠଟି ହୁଏ ଲୋଡା
ସେଇ ପାଠଟି ଯା' ପାଶେ ନାହିଁ
କପାଳ ତା'ର ପୋଡା ।।
ସବୁ ଜାଗାରେ ଅପାଠୁଆଟି
ହୁଅଇ ଲୋକହସା
ମଣିଷ ହୋଇ ହୁଅଇ ତା'ର
ଜୀବନ କଣପଶା ।।
ଜାଣି ତ ଥିଲେ ଥାଏ ସାହସ
ନ ଜାଣି ଥିଲେ ଡର
ଜଣା ଜଗତ ଅତି ଆପଣା
ଅଜଣା ସାତପର ।।
ପଢିଲେ ସିନା ଜାଣିବା ଆମେ
ଅଜଣା କିଏ ଜଣା
ପାଠ ନ ପଢି ରହିବା ଯେବେ
ମୁରୁଖେ ହେବା ଗଣା ।।
