ମୁନା ଶୋଇଅଛି ନିଦେ
ମୁନା ଶୋଇଅଛି ନିଦେ
ମୁନା ଶୋଇଅଛି ନିଘୋଡ଼ ନିଦରେ
ମାଆ କହୁଛନ୍ତି ଉଠରେ ବାବୁ
ଆଜି ଶନିବାର ସକାଳୁଆ ପଢ଼ା
କେତେବେଳେ ବିଦ୍ୟାଳୟ କୁ ଯିବୁ l
ପଲଙ୍କ ରେ ଶୋଇ କହୁଅଛି ମୁନା
ମାଆ ଜମା ବ୍ୟସ୍ତ ହୁଅନା ଏବେ
ଟିକେ ଶୋଇଦିଏ ଲାଗୁଅଛି ଭଲ
ବିଦ୍ୟାଳୟ ଡେରି ନ ହେବ କେବେ ?
ମାଆ କହୁଛନ୍ତି ଶୁଣ ବାବୁ ମୁନା
ଅଳସୁଆ ଜମା ନୁଁହେଟି ଭଲ
ଠିକ ସମୟରେ ନ କରିଲେ କାମ
ସବୁ ହୋଇଯାଏ ଟି ଗୋଳମାଳ l
ମୁନା ଶୁଣୁନାହିଁ ମାଆ ଙ୍କ ର କଥା
ଯେତେ ବୁଝେଇଲେ ଶୋଇଛି ରହି
ବିଦ୍ୟାଳୟ ଘଣ୍ଟା ଵାଜିଗଲା ଶୁଣି
ଉଠିଭାବେ କଣ କରିବି ମୁହିଁ ?
ଅତି ହରବରେ ମାଆ କୁ କହଇ
ମାଆ ଡେରି ହେଲା କରିବି କଣ
ଗୁରୁଜୀ ଆଜିତ ଛାଡ଼ିବେନି ଜମା
ଦଣ୍ଡ ମୋ ପାଇଁ ଥୁଆଟି ଜାଣ ?
ମାଆ କହୁଛନ୍ତି ସତ କଥା ସବୁ
ଗୁରୁଜୀ ଙ୍କ ଆଗେ ଦେବୁ ଯେ କହି
ମିଛ କହିବାଟା ଅଟେ ମହାପାପ
ସେ କଥା ଜମା ରୁ ଭୁଲିବୁ ନାହିଁ l
ଖାତାବହି ଧରି ମୁନା ପହଞ୍ଚିଲା
ବିଦ୍ୟାଳୟ ହତା ଭିତରେ ଯାଇ
ଗୁରୁଜୀ ଖେଳାନ୍ତି ଶନିବାରେ ଖେଳ
କହିଲେ ଏ ମୁନା ଥିଲା ଟି କାହିଁ ?
ମୁନା କହୁଅଛି ଶୋଇ ପଡ଼ିଥିଲି
ଜାଣି ପାରିଲିନି ସମୟ ଜମା
ତେଣୁ ଆସୁ ଆସୁ ହୋଇଗଲା ଡେରି
ଗୁରୁଜୀ କରନ୍ତୁ ମୋତେ ଯେ କ୍ଷମା l
ଆଉ ଜମା କେବେ ଭୁଲ କରିବିନି
ହୋଇବିନି ଜମା ଯେ ଅଳସୁଆ
ଠିକ ସମୟ ରେ କାମ ମୁଁ କରିବି
ମାନିବି ଯେ କଥା କହିବେ ମାଆ l
ଶୁଣି ମୁନା କଥା ଗୁରୁଜୀ କହିଲେ
ଛାତ୍ର ଛାତ୍ରୀ ତୁମେ ସଭିଏଁ ଶୁଣ
ଠିକ ସମୟରେ ଠିକ କାମ କଲେ
ଜଣାପଡେ କା'ର କେମିତି ଗୁଣ l
ତେଣୁ ସମୟ କୁ ସଦାବେଳେ ତୁମେ
ଦେଖି ଚାହିଁ କାର୍ଯ୍ୟ କରିବ ସଦା
ଶୃଙ୍ଖଳିତ ତୁମ ଛାତ୍ର ଜୀବନ
ଅଳସୁଆ ଗୁଣ ତ୍ୟାଗ ସର୍ବଦା l
ଗୁରୁଜୀ ଙ୍କ କଥା ଶୁଣି ମୁନା କହେ
ଶପଥ ଏ କଥା କରୁଛି ମୁହିଁ
ଜମା ଅଳସୁଆ ନ ହେବି ମୁଁ କେବେ
କରିବି କାର୍ଯ୍ୟ ମନ ଲଗାଇ l
