ମୁଁ ତୁମ ଫୁଲହାର
ମୁଁ ତୁମ ଫୁଲହାର
1 min
375
ମୁଁ ତୁମ ଫୁଲହାର
ପୂର୍ଣ୍ଣମୀ ଆକାଶେ ଜହ୍ନ ଗୋ ତୁମେ
ଉଆଁସ ନିଶିର ଉଦାସୀ କଇଁ,
ବୁକୁରେ ଖେଳାଅ ନବ ଉନ୍ମାଦନା
ତୁମ ପରଶରେ ଉଠିବି ଜୀଇଁ ।
ଲଳିତ କମଳ ନୟନରେ ତୁମ
ଅୟୁତ ଯୁଗର ତନ୍ଦ୍ରା ତ ମୁଁ,
ନିଶାର୍ଦ୍ଧରେ ଫୁଟି ସୁରଭି ବିତରି
ସାଜିବି ରଜନୀଗନ୍ଧା ମୁଁ ।
ନିର୍ଜନ ମୋର ମନ ଅଗଣାରେ
ତୁମେ ଅଟ ପ୍ରିୟ ମଧୁସ୍ମୃତି
ସେ ସ୍ମୃତିବନର ଅପରାଜିତା ମୁଁ
ପୀରତିରେ ତ ମଧୁମାଳତୀ ।
ଶୀତୁଆ ସକାଳ ଦିବାକର ତୁମେ
ତୁମର ମୁଁ ତ ସୁରୁଜମୁଖୀ
ମଲ୍ଲୀ,ମାଳତୀ,ଚମ୍ପା ଓ ସେବତୀ
ପାଦରେ ଦେଇଣ ହେବିସୁଖୀ ।
ତୁମେ ମୋ ମନର ତମାଳ କୁଞ୍ଜରେ
ସତେ ମନୋହର ବେଣୁଧର
ବାହୁ ବନ୍ଧନରେ ନିଜକୁ ସମର୍ପି
ସାଜିବି ମୁଁ ତୁମ ଫୁଲହାର ।