ମୁଁ ତରୁ
ମୁଁ ତରୁ
ଅତୀତରେ
କେତେ କାକୁତିମିନତୀ ହୋଇଛି ମୁଁ
କେତେ ବିକଳ ସ୍ବର ରେ ନେହୁରା ହୋଇଛି ,
ଶାଖା ରୂପକ ହସ୍ତ କୁ ପ୍ରସାରି
କେତେ ଅନୁରୋଧ କରିଛି ମୁଁ ,
କେତେ ଥର କହିଛି
ହେ ନର ଗଣ , ଟିକିଏ ଲଗାମ ଦିଅ ନିଜ ହାତ କୁ ,
ଏମିତି ମୋ ଜୀବନକୁ ଶେଷ କରି ଦିଅନା ,
ଏମିତି ଅନବରତ ମୋତେ କାଟି ଚାଲନା ..
ଟିକିଏ ଚିନ୍ତା କର ତୁମ ଭବିଷ୍ୟତ କଥା ।
କିନ୍ତୁ
କେହି ଶୁଣିଲନି ,
ସମସ୍ତଙ୍କ କର୍ଣ୍ଣ ବଧିର ସମ ହୋଇଗଲା ।
ଆଉ ଆଜି ଯେବେ ବାତ୍ଯା ର ପ୍ରକୋପରେ ମୁଁ ଗଡି ପଡିଛି
ଆହା କହିବା ପାଇଁ ସବୁ ଦୌଡି ଆସୁଛ ।
ଦରକାର ନାହିଁ ମୋର ସେ ଦୟା ।
ଯେବେ ମୁଁ କହୁଥିଲି
ପୋତି ଦିଅ ଗୋଟେ ବୀଜ ,
ଦେଇ ଦିଅ ମୁନ୍ଦେ ପାଣି ,
ସେତେବେଳେ ତ କେହି କର୍ଣ୍ଣପାତ କରିଲ ନାହିଁ ।
ବୁଝି ପାରିଲନି ମୋର ତ୍ୟାଗକୁ
ତୁମରି ହାତ ପାପୁଲି ରେ ମୋର ଜୀବନ ।
ଚାହିଁଲେ ଦେଇ ପାରିଥାନ୍ତ ମୋତେ ନୂଆ ଜୀବନ ,
ତୁମର ସେହି ଦାନ ରେ ମୁଁ ବୁକୁ ଦେଖାଇ ଅଟକାଇ ଥାନ୍ତି ସେ ଝଡକୁ ,
ନିଜେ ଟଳିପଡି ଧରାଶାୟୀ ହୋଇଥାନ୍ତି ,
କିନ୍ତୁ ଢାଳ ସାଜିଥାନ୍ତି ତୁମ ପାଇଁ ।
ଶାଖା ତଳେ ଆଶ୍ରୟ ଦେଇଛି ତୁମକୁ ,
ମୋର ଦେହରୁ ଜାଳେଣି ଦେଇଛି ,
ଦେଇଛି ପୁଣି ଫୁଲ , ଫଳ , ପଥି ,
ଲାଖ , ଝୁଣା ।
କଣ ବା ଦେଇନି ତୁମକୁ ।
ନିଜ ଶରୀରେ ନିଆଁ ଲଗାଇ
ତୁମକୁ କରାଇଛି ଉଷୁମ ଶୀତ ରାତିରେ ,
ନିଜେ କରତ ର ଧାରରେ ରକ୍ତାକ୍ତ ହୋଇ ତିଆରିଛି ବାସ ତୁମ ପାଇଁ ,
ନିଜେ ଅଙ୍ଗାରକାମ୍ଳ ର ସେ ବିଷ କୁ ପିଇ ,
ଦେଇଛି ତୁମକୁ ଅମ୍ଳଜାନ ,
ବଞ୍ଚାଇଛି ତୁମ ଜୀବନ ।
ତଥାପି ତୁମେ ସବୁ ଏତେ ନିର୍ଦ୍ଦୟ ,
ସବୁ ଭୁଲିଗଲ ,
ନିଜ ସ୍ବାର୍ଥ ପାଇଁ ମୋତେ ନାଶ କଲ ।
ପ୍ରତିବଦଳେ ଆଜି ଏ ବାତ୍ୟା ରେ ମୁଁ ଧରାଶାୟୀ ,
ଶ୍ରୀହିନ ତୁମର ଏ ସମାଜ ,
ମୋ ବିନା ଖାଁ ଖାଁ ତୁମର ଏ ରାସ୍ତା , ତୁମ ଅଞ୍ଚଳ ,
ବାସହୀନ ଆଜି କେତେ ପକ୍ଷୀଗଣ ।
ନେଡି ଗୁଡ କହୁଣୀ କୁ ଗଲା ପରେ
ଆଜି ତୁମେ କରୁଛ ମୋ ପାଇଁ ଆହାଃ ,
ଦୁଃଖ କରୁଛ ମୋର ଏ ଅବସ୍ଥା ରେ ।
ଲୋଡା ନାହିଁ ତୁମର ସେ କ୍ରନ୍ଦନ
ଦରକାର ନାହିଁ ସେ ଦୟା ର ଶବ୍ଦ ।
କାହିଁକି ନା ମୁଁ ତ ଚାଲିଯିବି ,
କିନ୍ତୁ କ୍ଷତି ହୋଇଯିବ ତୁମର ,
ତିଳେ ବି ବଞ୍ଚି ପାରିବନି ତୁମେ ମୋ ବିନା
ଏବେ ବି ଅଛି ସମୟ
ଧରନି ହାତରେ ଧାରୁଆ ଅସ୍ତ୍ର ,
ଖାଲି ଥରେ ସଭିଏଁ ଦୁଇ ପାପୁଲି ରେ କୋଳେଇ ନିଅ ଏକ ଚାରାକୁ ,
ଦେଇ ଦିଅ ତାକୁ ନୂଆ ଜୀବନ ,
ମୁଁ ବଞ୍ଚିବି ତୁମରି ପାଇଁ ,ଲଢିବି ତୁମରି ପାଇଁ ,
ଜନ୍ମର ଏନ୍ତୁଡିଶାଳରୁ ଉଷୁମେଇବା ଠୁ ,
ଜୀବନର ଶେଷ ଜୁଇ ଯାଏ ଥିବି ତୁମ ସାଥିରେ
କେବଳ ଏବେ ନୁହେଁ
ଆଜି
କାଲି
ପ୍ରତି ମୁହୂର୍ତ୍ତରେ
ମୁଁ ହିଁ ତୁମରି ତରୁ ।