ମୁଁ ଶାନ୍ତି ଖୋଜୁଛି
ମୁଁ ଶାନ୍ତି ଖୋଜୁଛି
ଶାନ୍ତିର ସଂଜ୍ଞା କ'ଣ ?
ମନେମନେ ଭାବୁଥିଲି ,
ମୋର ଯେତିକି ବିହାନିଆ ବୁଦ୍ଧି ,
ତାକୁ ଖଟାଇ ଭାବିଲି ଶାନ୍ତି ବୋଧେ ସେଇଠି ଅଛି ,
ଯେଉଁଠି ସବୁ ସୁଖ ଆଉ ସୁବିଧା ଥାଏ।
ଯେଉଁଠି ମଣିଷ ସୁଇଚ୍ ଟିପିଲେ
ଆପଣା ଛାଏଁ ସବୁ ଦରବ ଉଭା ହୋଇ ଯାଏ।
କ୍ଷଣିକରେ ଦୁନିଆ ହାତ ମୁଠାରେ ଆସି ଯାଏ।
ଆଉ ଟିକେ ଖୋଜି ଦେଖିଲି......
ମାର୍କାମରା କମ୍ପାନୀର ଦାମୀ କାର୍ କିଣିବାରେ ଶାନ୍ତି ଲୁଚିଛି ,
ବହୁ ରାଷ୍ଟ୍ରୀୟ ସଂସ୍ଥାର ବହଳିଆ ସି:ଟି:ସିରେ ଶାନ୍ତି ଲୁଚିଛି।
ଶେଯ ତଳେ ବିଛା ଯାଇଥିବା ଖଡ଼ ଖଡ଼ିଆ ନୋଟରେ ଶାନ୍ତି ଲୁଚିଛି।
ବଡ଼ ସହରରେ ଉଚ୍ଚା ଦରରେ ଜାଗା କିଣି ତିଆରି ହୋଇଥିବା ମାର୍ବଲର ବାସ ଗୃହ ଗୁଡିକରେ ଶାନ୍ତି ଲୁଚିଛି।
ହୀରାର ହାରରେ ଶାନ୍ତି ଲୁଚିଛି।
ସୁନାର ତାରରେ ଶାନ୍ତି ଲୁଚିଛି।
ପ୍ରତିପତ୍ତି ହାସଲ କରିବାରେ ଶାନ୍ତି ଲୁଚିଛି।
ପତିଆରା ପାଇବାରେ ଶାନ୍ତି ଲୁଚିଛି।
ହଁ କିଛି ଦିନ ସେ ଶାନ୍ତିକୁ ଅନୁଭବ କଲି ମଧ୍ୟ।
କିନ୍ତୁ ତାହା ଚିରସ୍ଥାୟୀ ନଥିଲା ।
ଅଧିକା ପାଇବା ଆଉ ଅଧିକା ଖାଇବା ଆଶା ସବୁବେଳେ ମୋ ମନରେ ଦାନା ବାନ୍ଧୁଥିଲା।
ଆଶା ତ ଅସୁମାରୀ ମୋର।
ଦୁଇ -ଚାରିଟା କାର୍, ଗୋଟିଏ ମାର୍ବଲ ବଙ୍ଗଳା ,
ମେଞ୍ଚାଏ ଟଙ୍କା, ସୁନା ଗହଣା ,
ବ୍ୟାଙ୍କ ବାଲାନ୍ସ ସ୍ଥାବର ଓ ଅସ୍ଥାବର ।
ବସାଉଠା ହାଇ ସୋସାଇଟିର।
ସୁନ୍ଦରିଆ ସ୍ତ୍ରୀଟିଏ ସାଥେ ହେଲା ବିବାହ ମୋର।
ଏ ସବୁ ପରେ ବି ମୋତେ ଲାଗୁଥିଲା ମୋତେ ଆହୁରି କିଛି ହାସଲ କରିବାରେ ଅଛି।
ଟଙ୍କାର ଶେଜରେ ଶୋଇ ମୁଁ ଛଟପଟ ହେଉଛି।
ମେଟ୍ରୋ ସିଟିରେ ଦାମୀ ଫ୍ଲାଟରେ ସ୍ତ୍ରୀ ଆଉ ପିଲାଙ୍କୁ ଧରି ରହୁଛି ।
ବୁଢ଼ା ବାପର ପାକୁଆ ପାଟିର ସ୍ନେହ ଭରା ହସ ଆଜି ବି ମୋ ଆଖିରେ ଝଲସି ଉଠୁଛି।
ଖାଇ ସାରି ମୁଁହ ପୋଛୁଥିବା ମୋ ମା'ର ଚିରା ପଣତ ଏବେ ଭାରି ମନେ ପଡୁଛି।
ମୁଁ ଶାନ୍ତି ଖୋଜୁଛି......
✍ବଳରାମ।
