ମୁଁ ଲେଖିକା
ମୁଁ ଲେଖିକା
ହଁ ମୁଁ ଲେଖିକା ,ଶବ୍ଦ ସଂଯୋଜିକା
ଭସା ବାଦଲର ଛାତିରୁ
ଶବ୍ଦକୁ ଚିରି ,
କଲମ ମୂନରେ ସଜେଇବାକୁ
ମୁଁ ବେଶ୍ ଭଲ ପାଏ ।
ଭଲ ପାଏ ଏ ପ୍ରକୃତିର ପ୍ରତିଟି ସମୟକୁ ,
ହଜିଯାଏ ଗଳି କନ୍ଦିରେ ,
ସେଇଥି ପାଇଁ ତ ସାଜି ପାରିନି
ମୋ ପ୍ରେମ , ଶାଶ୍ବତ..... ।
କେମିତି ବା ସାଜିବ ସେ ଶାଶ୍ବତ
ସେ ତ ବଦଳିଯାଏ ଅହରହ ,
କେବେ ଜହ୍ନର ଶୀତଳତାରେ
ମତୁଆଲା ହେଇ ସାଜିଯାଏ ପ୍ରେମିକା ,
ଆଙ୍କିଦିଏ ଶବ୍ଦର ଛବିକୁ ...........
କେବେ ପୁଣି ନଦୀର ଜଳଧାରାରେ
ଭାସିଯାଏ ମୋ ମନ ,
ଅଙ୍କାବଙ୍କା ଚିନ୍ତାଧାରା ରେ
ରୂପ ପାଏ କିଛି ନୂଆ ଲେଖା ,
ସାଇତା ହୁଏ କିଛି ନୂଆ ଅନୁଭବ ।
ତଥାପି ମୁଁ ଲେଖିକା
ହଁ ମୁଁ ଲେଖିକା ......।
ଯିଏ କି ନିଜକୁ ସମ୍ଭାଳି ପାରେନା
ଏ ପ୍ରକୃତିର ଭିନ୍ନ ରୂପରେ ।
ଭାବନା କୁ ସାଉଣ୍ଟି ଧାଡି ପରେ ଧାଡି
ଯୋଡେଇ ଚାଲେ ,
କଳ୍ପନା ଓ ସତ୍ୟତାର ଫେଣ୍ଟା ଫେଣ୍ଟି
ଅନୁଭବ କେତେବେଳେ ଯେ
ଲିଖିତ ରୂପ ନିଏ ତାହା ମୁଁ ବି ଜାଣେନା ।
ସେଇଥି ପାଇଁ ବୋଧେ ମୁଁ ଲେଖିକା
ହଁ ମୁଁ ଲେଖିକା .......
ମୁଁ ଚାହେଁନା ଦରମା , ଚାହେଁ ନା ପ୍ରଶଂସା ,
ଖାଲି ଚାହେଁ ମୋ କଲମରେ
ଗଢିବି କିଛି ନୂଆ
ବଦଳାଇ ଦେବି ଏ ଦୁନିଆ ।
ସମୟ ମୋ ପ୍ରେରଣା ,
ଭାବନା ମୋ କଲମ ,
ପ୍ରକୃତି ମୋ କାଗଜ ,
ଏତକ ଆଧାରେ ଯିବି ମୁଁ ଆଗେଇ ।
ମୁଁ ଲେଖିକା , ଲେଖା ମୋର ପ୍ରେମ
ଶବ୍ଦ ଗୁଚ୍ଛ ର ମୁଁ ପ୍ରେମିକା ।
ହଁ , ମୁଁ ଲେଖିକା