ମୁଁ କ'ଣ ସମ୍ପୂର୍ଣ୍ଣ ??
ମୁଁ କ'ଣ ସମ୍ପୂର୍ଣ୍ଣ ??
କି ସୁନ୍ଦର ଏହି ବିଶାଳ ସଂସାର
କି ସୁନ୍ଦର ଏ ଆକାଶ,
ଯେଉଁ ଠାରେ ଦୃଷ୍ଟି ପଡେ ସବୁଠାରେ
ତୁମ ଲୀଳା ହିଁ ପ୍ରକାଶ ।। ୧
ତୁମେ ତ ଗଢ଼ିଛ ଭୂମି ଠାରୁ ଭୂମା
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା,
ନଦୀ ବିଲ ବଣ କେଦାର କାନନ
ଫୁଲ ଫଳେ ପୂର୍ଣ୍ଣ ଧରା ।। ୨
କୀଟ ଠାରୁ ବ୍ରହ୍ମ ଯେତେ ସୃଷ୍ଟି ତୁମ
କ୍ରମିକ ଭାବେ ଚାଲଇ,
ପରିପୂର୍ଣ୍ଣ କେବେ ନୁହଇ ତ କେବେ
ପୁନଃ ପୁନଃ ହେଉ ଥାଇ ।। ୩
ଦୂର ଦିଗବଳୟେ ଦୃଷ୍ଟି ରହିଯାଏ
କିନ୍ତୁ ତାହା ଶେଷ ନୁହେଁ,
ଅନ୍ତରୀକ୍ଷ ପୁଣି ପୂର୍ଣ୍ଣ କି ଅପୂର୍ଣ୍ଣ
କହିଦେବ ଅବା କିଏ ?? ୪
ବିଶାଳ ସାଗର ଲଭିଛି ବିସ୍ତାର
ତଥାପି ସିଏ ତୃଷିତ,
ପୃଥିବୀର ଯେତେ ଜଳ ଉତ୍ସ ନିତି
ତା ଦେହରେ ସମାହିତ ।। ୫
ପୂର୍ଣ୍ଣ ବ୍ରହ୍ମ ବୋଲି କହନ୍ତି ସଭିଏଁ
ଅଧା ଗଢା ଦିଅଁ ସିଏ,
ପୂର୍ଣ୍ଣତାର ପରିଭାଷାକୁ ବା ବ୍ୟାଖ୍ୟା
କରି ପାରି ଅଛି କିଏ ?? ୬
ସେହି ସୃଷ୍ଟିର ମୁଁ ନଗଣ୍ୟ ଜୀବଟେ
ପୂର୍ଣ୍ଣତା କାହୁଁ ପାଇବି,
ଜୀବନ ଜଞ୍ଜାଳେ ଜୀବିକା ନିଆଁରେ
ନିତି ପ୍ରତି ଜଳୁ ଥବି ।। ୭
ତଥାପି ମୋହର ନାହିଁ ଅବଶୋଶ
ପୂର୍ଣ୍ଣତା ଲୋଡିନି କେବେ,
କର୍ତ୍ତବ୍ୟର ପଥେ ଚଳି ଅବିରତେ
ବଞ୍ଚିଛି ବଞ୍ଚିବି ଭବେ ।। ୮
ପ୍ରଶ୍ନ କେବେ ଯଦି କରିଦିଏ କିଏ
ସମ୍ପୂର୍ଣ୍ଣ ଅଟୁ କି ତୁହି ?
କହିବି ଯାହା ମୁଁ ପାଇଛି ଜୀବନେ
ସେଇଥିରେ ତୃପ୍ତ ମୁହିଁ ।। ୯
