STORYMIRROR

SARATA KUMAR DAS

Others

4  

SARATA KUMAR DAS

Others

ମୁଁ, ବୋଉ ଓ ବର୍ଷା

ମୁଁ, ବୋଉ ଓ ବର୍ଷା

1 min
386


ଭାରି ଭଲ ଲାଗେ 

ଭିଜିବାକୁ ଟୋପା ଟୋପା ବର୍ଷାରେ

ଗଢିବାକୁ କାଗଜର ଡଙ୍ଗାଟିଏ

ଆଉ ଭସାଇବାକୁ

ବର୍ଷାର ସ୍ରୋତରେ 

ତୋଳିବାକୁ ଜାମୁକୋଳି ଲୁଚିଲୁଚି

ଓଦା ସରସର ଫୁଙ୍ଗୁଳା ଦେହରେ ।


ଅବଶ୍ୟ 

ବୟସ ଟା ବଦଳିଗଲେ

ବଦଳିଯାଏ ମନର ବିଚାର

ବଦଳିଯାଏ ଋତୁର ବେଭାର

ବର୍ଷା ରେ ଭିଜିବାର ମୋହକୁ

ଆବଦ୍ଧ କରିବାକୁ ପଡେ 

ମନର ତାଗିଦରେ ।


ତଥାପି ଆଜି

ବର୍ଷା ଆସିଲେ ଆକାଶରେ

ମୟୂର ନାଚେ ମୋ ମନ ବଗିଚାରେ 

ବୋଲ ମାନେନା ଦେହ

ଲଗାମହୀନ ହୋଇପଡେ

ଭାରି ଇଛା ହୁଏ ଭିଜାବାକୁ

ଝିପି ଝିପି ବର୍ଷାରେ

ଗାଇବାକୁ ମେଘ ମହ୍ଲାର 

ବର୍ଷାର ରିମଝିମ୍ ସୁରେ  

ତୋଳିବାକୁ ଜାମୁକୋଳି

ଓଦା ଜୁଡୁବୁଡୁ ଫୁଙ୍ଗୁଳା ଦେହରେ ।


ମନେପଡେ

ପିଲାଦିନେ ବର୍ଷାରେ ଭିଜିଲେ

ବୋଉର ତାଗିଦ୍ ସହ

କଡା ନାଲିଆଖି ତଳେ

ଏକ ଅସହାୟ ଭାବର ଝଲକ ,

କାଳେ ଥଣ୍ଡା ଲାଗିଯିବ

ତାତି ବଢିଯିବ ମୋ ଦେହରେ

ସାରା ରାତି ସୁଁ ସୁଁ ହେଉଥିବି

କାଶ ଓ ଜ୍ବରରେ  ।


ସ୍ପଷ୍ଟ ମନେ ଅଛି ମୋର

ଶକ୍ତ ଚାପୁଡାଟେ ମାରିଥିଲେ ସାର୍

ବର୍ଷା ରେ ଭିଜୁଥିଲି ବୋଲି

ସ୍କୁଲର ଖେଳ ଛୁଟି ବେଳେ ,

ଆଉ ,ବୋଉ ମୋର ଲୁଚିଲୁଚି

ଲୁହ ପୋଛୁଥିଲା ତା' ପଣତ କାନିରେ

ବର୍ଷାଭିଜା କପଡାକୁ କାଢି ଦେଲାବେଳେ

ମୋ ନରମ ପିଠିରେ

ଚାପୁଡାର ଚିହ୍ନ ଦେଖି ଦେଲାବେଳେ ।


ଏବେ କେତେବେଳେ କେମିତି 

ଅସରାଏ ଜୋର୍ ବର୍ଷିଗଲେ

ପାଣିର ସୁଅ ଛୁଟେ

ମୋ ଦାଣ୍ଡ ଅଗଣାରେ 

ମନେପଡିଯାଏ 

ବର୍ଷାରେ ନ ଭିଜିବାକୁ

ମୋ ବୋଉର ଭୟମିଶା

ମଧୁର ତାଗିଦ ସହ

କେତେ ଆକୁଳ ସ୍ନେହ ନିବେଦନ ,

ଆଖି ପତା ମୋର ଓଦା ହୋଇଯାଏ

ବତୁରିଯାଏ ମୋ ହୃଦୟ

ଝରିପଡେ ମୋ ଆଖିରୁ ବର୍ଷା ଝରଝର  

ଢାଙ୍କିହୋଇଯାଏ ଦେହ-ମନ-ପ୍ରାଣ

ତା' ମଧୁସିକ୍ତ ପଣତରେ ।


ବଦଳିଯାଇଛି ସମୟ

ବଦଳିଯାଇଛି ମୋ ପିଲାଦିନ

କାଗଜଡଙ୍ଗା ଗଢିବାର ବେଳ ,

ଖୁବ୍ ଲମ୍ବା ହୋଇଯାଇଛି ବୟସଟା ମୋର

ବଦଳି ଯାଇଛି ମୋ ପୃଥିବୀର ମାନଚିତ୍ର 

ଅକ୍ଷାଂଶ ଦ୍ରାଘିମା

ମାତ୍ର ବଦଳିନି ମୋ ବୋଉର

ମଧୁର ତାଗିଦ ସହ

ତା' ସିକ୍ତ ପଣତ କାନିର ଆକୁଳତା

ଆଉ ବଦଳିନି ତା' ଆଖିତଳ ଲୁହ ।


ବଦଳିନି ମଧ୍ୟ ବର୍ଷାର ରିମଝିମ୍ ସୁର

କାଲି ଯେମିତି ବର୍ଷୁଥିଲା

ଆଜି ବି ଠିକ୍ ସେମିତି  

ଅବଶ୍ୟ ଏକ ନିଆରା ଢଙ୍ଗରେ  

ଏକ ନିଆରା ରୂପରେ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍