ମୁଁ ବହି
ମୁଁ ବହି
ଜୀବନ ଟା ମୋର ନୁହଇ ଯେ ଶସ୍ତା
ନୁହେଁ ମୁହିଁ ଜଡ ବସ୍ତୁ
ଗ୍ରନ୍ଥ ମାଳ। ହୋଇ ଜ୍ଞାନ ର ଆଲୋକ
ଜାଳେ ସାରା ଜଗତକୁ ।
ଅକ୍ଷରେ ଅକ୍ଷରେ ତିଆରି କରେ ମୁଁ
ସୁନ୍ଦର ସୁନ୍ଦର ଶବ୍ଦ
ଶବ୍ଦ ରେ ଶବ୍ଦରେ ଗଢି ଥାଏ ମୁହିଁ
ବାକ୍ୟ କବିତା ର ସ୍ଵାଦ ।
ଜୀବନି କହିମୁ ଯେ ପ୍ରେରଣା ଦିଏ
ପାଠକଙ୍କ ମହଳରେ
ନାଟକ ମାଧ୍ୟମେ ମନ ମୋହି ନିଏ
ହସ ଖୁସି ଗହଣରେ ।
ମନେ ଭରିଦିଏ କେତେ ଗପ ଗୀତ
କେତେ ଯେ ପୋଥି ପୁରାଣ
ତା ସାଥେ ପୁଣି ମନେ ଆଙ୍କିଦିଏ
ଛବି ଚିତ୍ର ସୁଶୋଭନ ।
ଶିଖାଏ ଯେ ପୁଣି ଭଳ ମନ୍ଦ କେତେ
ସଂସାରର ରୀତି ନିତି
କହିଦିଏ ସତେ କା ଦୁଃଖ କାହାଣୀ
ବଦଳେ ଜୀବନ ଗତି ।
ଆଣି ଦେଇ ଥାଏ ମନରେ ହରଷ
ପ୍ରିୟ ପାଠକଙ୍କ ପାଶେ
ବୁଦ୍ଧି ବିବେକକୁ ଉଜ୍ଜଳିତ କରି
ମନର କ୍ଲେଶକୁ ନାଶେ ।
ମୋତେ ପାଠ କରି ମୂର୍ଖ ହୁଏ ଜ୍ଞାନୀ
ପାଇ ଯେ ଉତ୍ତମ ଫଳ
ଚିର ଦିନ ମୋତେ ସାଥି କରିଥିଲେ
ହୁଅଇ ଶୁଭ ମଙ୍ଗଳ ।
ତୁମରି ହାତର କୋମଳ ସ୍ପର୍ଶରେ
ହଜିଯାଏ ନିଜେ ମୁହିଁ
ମୋ ଦେହର ପ୍ରତି ଅଂଶରେ ଅଂଶରେ
ହାତ ତୁମ ଦିଏ ଛୁଇ ।
କେହି କେହି ମୋତେ ଚିରି ଦେଇ ସତେ
ତିଆରି କରନ୍ତି ଠୁଙ୍ଗା
ଟିକି ଟିକି ପିଲା ଚିରି ଦେଇ ମୋତେ
ଭସାନ୍ତି ଆଦରେ ଡଙ୍ଗା ।
ଭଲ ଲାଗେ ମୋତେ କରିବାକୁ ତୁମ
ସେବା ପ୍ରତି ମୂହୁର୍ତ୍ତରେ
ନିର୍ଜୀବ ହେଲେ ବି ମୋ ପରି କିଏ
ନାହିଁ ଏହି ଧରଣୀରେ ।
ଯେତେ ଯାହା ବାଧା ଆସିଲେ ବି ଆସୁ
ରହିଥିବି ତୁମ ସାଥେ
ଜାଳି ପୋଡି ପାଉଁଶ କଲେ ବି
ଲୋଡା ମୁଁ ସାରା ଜଗତେ ।
*************************
ନାମ - ପ୍ରେମଶିଲା ରାଉତ
ଗ୍ରାମ - ବୃନ୍ଦାବାହାଲ
ବ୍ଲକ - ଗୋଳମୁଣ୍ଡା
ଜିଲ୍ଲା - କଳାହାଣ୍ଡି
