ମୁଁ ଅନ୍ୟାୟୀ ନେତା ହେବି
ମୁଁ ଅନ୍ୟାୟୀ ନେତା ହେବି
ଦିନେ ଶିକ୍ଷକ ପଚାରିଲେ
କହିଲ ବଡ଼ ହେଲେ ସବୁ କଣ ହବ
ଡାକ୍ତର, ଇଞ୍ଜିନିୟର, ଓକିଲ,ଆଇଏଏସ,
ଶିକ୍ଷକ, ରେପୋର୍ଟର୍ ଆହୁରି ଅନେକ କିଛି
ମୁଁ ଏ ଗୋଲମାଲ ଭିତରେ ଚୁପ୍ ଥିଲି
କାରଣ ମୁଁ ଏସବୁ କିଛି ବି
ହେବାକୁ ଚାହୁଁ ନଥିଲି
ଶିକ୍ଷକ ମୋ ଉପରେ ଧ୍ୟାନ ଦେଇ
ପଚାରିଲେ କଣରେ ପୁରା ଚୁପଚାପ୍
ଖାଲି କଣ ଅଣ୍ଡା ଖାଇବାକୁ ଆସିଛୁ
ନା ବୁଲିବାକୁ ଆସିଛୁ
ସବୁ ପିଲାଙ୍କ ଆଖି ମୋ ଉପରେ ଥିଲା
ଏଥର ମୁଁ ମୋ ନିରବତା ଭାଙ୍ଗି ଦେଲି
ଆଉ କହିଲି ଅନ୍ୟାୟୀ ନେତାଟି ହେବି
ହସର ଗୋଟେ ଜୁଆର ଛୁଟିଲା
ଶିକ୍ଷକଙ୍କ ଆଖି କିନ୍ତୁ ଆଶ୍ଚର୍ଯ୍ୟରେ ବଡ଼ ବଡ଼ ହୋଇଥିଲା
ମୁଁ ଭାବିଲି ସବୁ ଏଥର ସରିଲା
ପିଠି ବୋଧେ ମୋର ଫାଟିଲା
କହିଲେ କଣ ପାଇଁ ହବୁ
ମୁଁ ବୁଝାଇ ଦେଲି
ନେତା ହେବି ଆଉ ଏମାନଙ୍କ ଉପରେ ହୁକୁମ୍ କରିବି
500କୋଟି ଟଙ୍କାର ଯୋଜନାରେ
100 କୋଟିର ଗୋଟେ ପୋଲ କରିବି
400 କୋଟିରୁ କିଛି ବାଣ୍ଟିକି ଖାଇବି
ଆଉ କିଛି ସେଇ ଇଞ୍ଜିନିୟରକୁ ଦେବି
କିଛି ଦିନ ପରେ ପୋଲ ଭାଙ୍ଗିବ
ଲୋକେ ଆହତ ହେବେ
ତାଙ୍କୁ ମୁଁ ଡାକ୍ତର ପାଖକୁ ପଠେଇ ଦେବି
ଆଉ ସହାନୁଭୂତିର କିଛି ରାଶି ଘୋଷଣା କରିଦେବି
ଆଉ କେହି କେଶ୍ କଲେ ଓକିଲ
ପାଖରେ କେଶ୍ ଲଢ଼ିଦେବି
କିଛି ଟଙ୍କା ଦେଇ ରିପୋର୍ଟର ବନ୍ଧୁଙ୍କୁ କିଣି ନେବି
ନହେଲେ ଟିକେ ଡରେଇ ଧମକାଇ ଦେବି
ହଁ କଳା କାମ ସବୁ କରିବି ହେଲେ
ଧଳା ଟୋପି ଆଉ ପଞ୍ଜାବୀରେ ଢାଙ୍କି ଦେବି
ଆଉ ପ୍ରତ୍ୟେକ ଭାଷଣରେ ଦେଶ ବିଷୟ ଛାଡ଼ି
ହିନ୍ଦୁ, ମୁସଲମାନ ଆଉ ପାକିସ୍ତାନ ବିଷୟରେ କହିଦେବି
କେବେ ଜୟ ଯବାନ, ଜୟ କିଶାନ ,ଜୟ ବିଜ୍ଞାନର
ନାରା ଦେଇ ମିଛରେ ମିଛରେ ଟିକେ କାନ୍ଦି ଯିବି
ପଦବୀର କମାଲରେ ଆଇଏଏସ ଅଫିସରକୁ ଚୁପ୍ କରିଦେବି
ଏଇ 10ଟାରୁ 4ଟା କିଏ ଚାକିରି କରିବ
ଆଉ ପୁଣି ଗୋଲାମ ସାଜିବ
ସେଥିପାଇଁ ମୁଁ ଅନ୍ୟାୟୀ ନେତାଟି ହେବି
ଏମାନେ ସବୁ ଚାକିରି କରନ୍ତୁ
ମୁଁ ଏମାନଙ୍କୁ ହୁକୁମ ଦେବି
ଭଲ ନେତା ନୁହଁ
ମୁଁ ଅନ୍ୟାୟୀ ନେତାଟି ହେବି।
