ମୁକ୍ତ ପକ୍ଷୀ
ମୁକ୍ତ ପକ୍ଷୀ
ସୁନୀଳ ଆକାଶେ ମୁକ୍ତ ପକ୍ଷୀ ମୁଁ
ଲଂଘିଯିବି ଦୁର୍ଗମ ଗିରି
ଗାଇଯିବି ଶାନ୍ତି, ସମୃଦ୍ଧିର ବାର୍ତ୍ତା ,
ଆଙ୍କି ଦେଇଯିବି କଲମ ମୁନରେ
ସ୍ନେହ, ଶ୍ରଦ୍ଧା, ପ୍ରିତି, ଭାତୃତ୍ବ ବନ୍ଧନ ଗାଥା | (୧)
କରିବି ସଶକ୍ତ ମୋ କଲମର ଗାର
ସୁଦୃଢ଼ ଖଣ୍ଡା ଠାରୁ ବଳିୟାନ,
ଦୋହଲାଇ ଦେବି ଶୋଷକଙ୍କ ଗଡ଼
ଅନୀତି ଦୁର୍ନୀତି ନିଶ୍ଚେ ହେବ ଦମନ । (୨)
ଆଗେଇ ଆସ ହେ ମୁକ୍ତ ବିହଂଗମ
କରିବା ଆମ ନୂତନ ସମାଜର ସର୍ଜନା,
ଜଳାଞ୍ଜଳି ଦେବା ସ୍ବାର୍ଥ ଅହମିକା
ଆମ କଣ୍ଠୁ ଝରାଇବା ମୁକ୍ତି-ମୂର୍ଛନା । (୩)
ଲେଖନୀ ମୁନେ ଭାଙ୍ଗିଦେବା ଲୁଟେରାଙ୍କ
ସୁନାଚାନ୍ଦୀରେ ଗଢ଼ା ପାଚେରୀ କାନ୍ଥ,
ଧ୍ୱଂସ କରିଦେବା ପୁଞ୍ଜିବାଦୀଙ୍କ
ସବୁ ପୁଂଜିଭୂତ ଅମାରତ । (୪)
ସମାଜେ ସମତା ନିର୍ମାଣ ଯଜ୍ଞେ
ଆମ ଅନ୍ତର୍ଜ୍ଯୋତିକୁ କରି ଜାଗ୍ରତ,
ଘରେ ଘରେ ଖୁସି ଫେରାଇ ଆଣିବା
ତେବେ ଆମ ଜାତି ହେବ ବିଶ୍ବେ ସମ୍ରାଟ । (୫)
ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେବ
ସ୍ବେଚ୍ଛାଚାର, ଦୁର୍ନୀତିର ହେବ ଦମନ,
ଶାନ୍ତି, ମୈତ୍ରୀ, ପ୍ରୀତି ହେବ ସ୍ଥାପନ
ଜାଜ୍ଜୁଲ୍ଯମାନ ହେବ ମୋ ଜାତିର ନାମ । (୬)
