ମୁକ ସାକ୍ଷୀ ବାରବାଟୀ
ମୁକ ସାକ୍ଷୀ ବାରବାଟୀ


ଐତିହ ସହର କଟକ ନଗରେ
ମୁକ ସାକ୍ଷୀ ବାରବାଟୀ ।
ଇତିହାସ କହେ ଅତୀତ କାହାଣୀ
ଦୁର୍ଗ ସ୍ମୃତି ପରିପାଟି
ଭଗ୍ନ ଦୁର୍ଗ ଏବେ ଉତ୍କଳ ସ୍ମାରକୀ
ଲିଭିନି ଐତିହ କଳା ।
ଜରାଜୀର୍ଣ୍ଣ ହୋଇ ରହିଛି ଅନେଇ
ବାରବାଟୀ ଭଗ୍ନ ଶିଳା
ଗଙ୍ଗ ବଂଶ ରାଜା ଅନଙ୍ଗ ତୃତୀୟ
ମହାନଦୀ ପାରି ହୋଇ ।
ଆସିଥିଲେ ଦିନେ ବାରବାଟୀ ଗ୍ରାମେ
ଭ୍ରମଣ କରିବା ପାଇଁ
ଭୌଗଳିକ ସ୍ଥିତି ପ୍ରକୃତି ଶୋଭାରେ
ବିମୋହିତ ହୋଇଥିଲେ ।
ରାଜଧାନୀ ପାଇଁ ନିଷ୍ପତି ସେ ନେଇ
ନିର୍ମାଣର ଶୁଭ ଦେଲେ
ବର୍ଗକ୍ଷେତ୍ର ପରି ଏକଶତ ଦୁଇ
ଏକର ଜାଗାକୁ ନେଇ ।
ନଅ ମହଲାର ଦୁର୍ଗ ସେ ତୋଳିଲେ
କଳାକୃତିରେ ଖୋଦେଇ
ଶତୃ ଆକ୍ରମଣ ପଣ୍ଡ କରିବାକୁ
ଦୁର୍ଗର ସୁରକ୍ଷା ପାଇଁ ।
ଦୁର୍ଗ ଚାରିପାଖେ ଗଡ଼ଖାଇ ଖୋଳି
ସୁରକ୍ଷା ଦେଲେ ବଢ଼ାଇ
ଚୌଦ୍ୱାର ଛାଡି ବାରବାଟୀ ଆସି
ନୂଆ ରାଜଧାନୀ କରି ।
ଗଙ୍ଗବଂଶ ରାଜା ଅନଙ୍ଗ ତୃତୀୟ
ଶାସନ ରଖିଲେ ଜାରି
କାଳର ଗ୍ରାସରେ ଗଙ୍ଗ ବଂଶ ପରେ
ମରାଠୀ ଓ ମୁସଲମାନ ।
ସେହି ବାରବାଟୀ ରାଜଧାନୀ କରି
ରାଜ୍ୟକୁ କଲେ ଶାସନ
ଅଷ୍ଟାଦଶ ତିନି ଅକ୍ଟୋବର ମାସେ
ଇଂରେଜ ଶାସକ ଦଳ ।
ବାରବାଟୀ ଦୁର୍ଗ କଲେ ଅକ୍ତିଆର
ଆସିଲା ଦୁର୍ଦ୍ଦିନ ବେଳ
ରାଜଧାନୀ ହେଲା ରାଜ ବନ୍ଦୀଶାଳ
ଅବକ୍ଷୟ ଆରମ୍ଭିଲା ।
କେତେ ରାଜା ମହା ରାଜ ବନ୍ଦୀଙ୍କର
ମୁକସାକ୍ଷୀ ପାଲଟିଲା
ଉଣେଇସ ଛତିଶ ନୂତନ ପ୍ରଦେଶ
ଉତ୍କଳ ମାନ୍ୟତା ପାଇ ।
ବନ୍ଦୀଶାଳ ହେଲା ରାଜଧାନୀ ପୁଣି
ରକ୍ଷା ବି ପାଇଲା ନାହିଁ
ରକ୍ଷଣା ବେକ୍ଷଣ ଅବହେଳା ପାଇଁ
ବାରବାଟୀ ଭଗ୍ନ ସ୍ତୁପ ।
ସୁଉଚ୍ଚ ପ୍ରାଚେରୀ ହଜି ତ ଯାଇଛି
ରହିଛି ପ୍ରବେଶ ପଥ
ଗଡ଼ଖାଇ ଏବେ ପୋତି ହୋଇଯାଇ
ଜଳକୁମ୍ଭୀ ଫୁଲେ ଭରା ।
ଅତୀତ କୀର୍ତ୍ତିକୁ ଅବଲୁପ୍ତ କରେ
ଦେଖେଇ ତା'ର ଚେହେରା
ପ୍ରତ୍ନତତ୍ତ୍ୱ ସଂସ୍ଥା ସୁରକ୍ଷା ବ୍ୟବସ୍ଥା
ଅଶାର ଟିକେ ଆଲୋକ ।
ଭଗ୍ନ ବାରବାଟୀ ଉତ୍କଳ ସ୍ମୃତିକୁ
ପ୍ରଦାନ କଲେ ଝଲକ
ଜରାଜୀର୍ଣ୍ଣ ଦୁର୍ଗ ଅତୀତର କୀର୍ତ୍ତି
ପାଇ ନବ ଯଉବନ ।
ପର୍ଯ୍ୟଟନ ସ୍ଥଳୀ ଜନ ଗହଳିରେ
ବୃଦ୍ଧି ହେବ ରାଜ୍ୟ ମାନ