!! ମୃତ୍ୟୁ ହେ ତୁମେ ଆସ. !!
!! ମୃତ୍ୟୁ ହେ ତୁମେ ଆସ. !!
!! ହେ ତୁମେ ଆସ. !!
ମୃତ୍ୟୁ ହେ ତୁମେ ଆସ...
ସଜଳ ସପନେ
ସବୁରି ଗୋପନେ
ରଚି ଧରାପରେ ରାସ ।
ମୃତ୍ୟୁ ହେ ତୁମେ ଆସ ...!
ତୁମ ଆଗମନେ
ମୋ ମନ କାନନେ
ଫୁଟି ଯାଉ ଫୁଲ ହସ
ବିଧୂର ବେଳାର
ଲମ୍ବା ଇସ୍ତାହାର
ସପ୍ତମ ଋତୁର ମାସ ।
ଗୋଧୂଳି ରେ ହୋଇ ବେଶ ....
ମୃତ୍ୟୁ ହେ ତୁମେ ଆସ ...!
ସତ୍ୟ ଶିବ ତୁମେ
ସୁନ୍ଦର ଏ ଭୂମେ
ଝରା କାକରର ଧରା
ପଉଷ ରାତିର
କଜଳ ଅନ୍ଧାର
ଦିଶୁଥିବ ଜହ୍ନ ତୋରା ।
ନଈ ପଠା ଭରା କାଶ.....
ମୃତ୍ୟୁ ହେ ତୁମେ ଆସ ...!
ଅଦିନ ବସନ୍ତ
ଦେବ ସେ ଉଦନ୍ତ
କଳା କୋଇଲିର କୁହୁ
ଚୂତ ମୁକୁଳ ର
ମୁରୁଜ ଅବିର
ଝରାଇବ ପ୍ରୀତି ମହୁ ।
ଗୁଣୁ ଗୁଣୁ ଅଳି ଭାଷ .....
ମୃତ୍ୟୁ ହେ ତୁମେ ଆସ ....!
ଚହଟ ଚାନ୍ଦିନୀ
କରିବ ବନ୍ଦିନୀ
ସରେ କୁମୁଦର ଛାୟା
ମନ ତରୁ ଡାଳେ
କପୋତୀ ବିକଳେ
କାନ୍ଦିବ ମୁରୁଛି ମାୟା ।
କାୟା ଛାଡି ପରବାସ .....
ମୃତ୍ୟୁ ହେ ତୁମେ ଆସ ....!!
