ମରଣ
ମରଣ
ମାଟିର ଶରୀର ,ମାଟିରେ ମିଶିବ
ମାଟିରେ ହୋଇଛି ଗଢା ।
ହାତରୁ ଖସିଲେ, କ୍ଷଣିକ ମଧ୍ୟରେ
ଭାଙ୍ଗି ଚୁନା ହେବ ସଢା ।।୧
ମାଟିର ଶରୀରେ, ଜୀବନର ବାୟୁ
ହେଉଅଛି ଆତ ଯାତ ।
କ୍ଷଣିକ ମଧ୍ୟରେ, ଜୀବନର ବାୟୁ
ପିଣ୍ଡ ଛାଡି ଯିବ ସେତ ।।୨
ପଞ୍ଚ ମହାଭୂତେ ,ହୋଇଛି ଶରୀର
ଆତ୍ମା ରାଜା ଯେ ପିଣ୍ଡର ।
ପଞ୍ଚ ମହାଭୂତୁ, ଆତ୍ମା ରାଜା ରାଜ୍ୟୁ
ଗଲେ ଛାଡି ହୁଏ ମର ।।୩
ପଞ୍ଚ ମହାଭୂତେ ,ଆତ୍ମା ରଥୀ ରଥେ
ରଥ ଅଟେ କଳେବର ।
ଆତ୍ମା ରଥୀ ଯେବେ ,ନଥାଏ ସେ ରଥେ
ରଥ ହୋଇଯାଏ ମର ।।୪
ଆତ୍ମା ପକ୍ଷୀ ବସା ,ବାନ୍ଧିଛି ଶରୀରେ
ରହି ଅଛି ବର୍ତ୍ତମାନ ।
କ୍ଷଣିକ ମଧ୍ୟରେ, ଝଡ଼ ଟେ ଆସିଲେ
ଉଡିଯିବ ପକ୍ଷୀ ବନ ।।୫
ନାହିଁ ତା ଉପରେ ,ବିଶ୍ୱାସ ବନ୍ଧୁ ଯେ
ଭାଇ ସେ ନୁହେଁ କାହାରି ।
ସମୟ ସରିଲେ, କ୍ଷଣିକ ମଧ୍ୟରେ
ଚାଲିଯିବ ସେ ବାହାରି ।।୬
