STORYMIRROR

Geetanjali Prusty

Others

4  

Geetanjali Prusty

Others

ମୋତେ ଭଲ ଲାଗେ

ମୋତେ ଭଲ ଲାଗେ

1 min
526


ମୋତେ ଭଲ ଲାଗେ ସବୁଜ ଘାସରେ

ଶୁଭ୍ର କାକର ବିନ୍ଦୁ

ଭଲ ଲାଗେ ମୋତେ ସାଗର ବେଳାରେ

ଉତ୍ତାଳ ତରଙ୍ଗ ସିନ୍ଧୁ |


ମୋତେ ଭଲ ଲାଗେ ଦରୋଟି ଅଧରେ

ମଧୁଠୁ ମଧୁର କଥା

ଭଲ ଲାଗେ ମୋତେ ସଲ୍ଲଜ ବଧୂର

ଓଢଣା ଆବୃତ ମଥା |


ମୋତେ ଭଲ ଲାଗେ ମାଆ ହାତ ଗଢ଼ା

ସୁଆଦିଆ ପିଠା ପଣା

ଭଲ ଲାଗେ ମୋତେ ବିଶାଳ ବୃକ୍ଷରେ

କରିଥିଲେ ମହୁ ଫେଣା |


ମୋତେ ଭଲ ଲାଗେ ପୂରୁବ ଆକାଶେ

ଲୋହିତ ବର୍ଣ୍ଣାଳୀ ଆଭା

ଭଲ ଲାଗେ ମୋତେ ନାରୀର ସୌନ୍ଦର୍ଯ୍ୟ

ପୁଷ୍ପ ବିମଣ୍ଡିତ ଗଭା |


ମୋତେ ଭଲ ଲାଗେ କଅଁଳା ବାଛୁରୀ

ମାଆ ପାଶେ ଥିଲେ ଡେଇଁ

ଭଲ ଲାଗେ ମୋତେ ଖେଳୁ ଥିଲେ ଦୋଳି

ରଜ ପୋଡ଼ ପିଠା ଖାଇ |


ମୋତେ ଭଲ ଲାଗେ ନିଘଞ୍ଚ ବନାନୀ

ବୃଷ୍ଟି ଜଳେ ଥିଲେ ଭିଜି

ଭଲ ଲାଗେ ମୋତେ ବିହଙ୍ଗ କାକଳି

ବୁଲିଲେ ଆହାର ଖୋଜି |


ମୋତେ ଭଲ ଲାଗେ ଦେଖା ହୋଇ ଗଲେ

ସାଙ୍ଗ ସାଥୀ ପରିଜନ

ଭଲ ଲାଗେ ମୋତେ ଅତିଥି ସେବାରେ

ଦେବା ପାଇଁ ଟିକେ ମନ |


ମୋତେ ଭଲ ଲାଗେ ବୁଲି ଯିବା ପାଇଁ

ସାତ ଦରିଆର ପାରି

ଭଲ ଲାଗେ ମୋତେ ଆକାଶ ବକ୍ଷରେ

ଉଡିବାକୁ ଘୂରୀ ଘୂରୀ |


ମୋତେ ଭଲ ଲାଗେ କାଳୀ ଗାଈ କ୍ଷୀର

ହେଇ ଥିବ ଯେବେ ଖାଣ୍ଟି

ଭଲ ଲାଗେ ମୋତେ ଦେଉଳ ବେଢାରେ

ବାଜୁଥିଲେ ସନ୍ଧ୍ୟା ଘଣ୍ଟି |


ମୋତେ ଭଲ ଲାଗେ ଗ୍ରାମ ଶ୍ମଶାନ ରେ

ଜଳିବାକୁ ଯୁଇ ହେଇ

ବନ୍ଧୁ ପରିଜନ ଚାଲୁଥିବେ ପାଶେ

ରାମ ନାମ ସତ୍ୟ ଗାଇ |


ସବୁ ଭଲ ମୋତେ ମିଳିକି ପାରିବ

ଇଚ୍ଛାମୟ ଇଚ୍ଛା କଲେ

ତାଙ୍କରି ଇଚ୍ଛାରେ କାଟିବାକୁ ଦିନ

ହରି ନାମ ତୁଣ୍ଡେ ବୋଲେ |


Rate this content
Log in