ମୋ ଟିକି ଉଆସ
ମୋ ଟିକି ଉଆସ
1 min
12.2K
ସଂସାରେ ମୋର ଟିକି ଉଆସ
ସୁଖରେ ରଖିଛି ମୋତେ,
ଦୁଃଖଟି ନାହିଁ କରୁଛି ବାସ
କରିଛି ତିଆରି ହାତେ ।
ନଡା ଛପର ଉପରେ ତା'ର
ବାଉଁଶ ରୁଅରେ ଯୋଡ଼ା,
ମଝିରେ ମାତ୍ର ମେରି ଖୁଣ୍ଟଟି
କଡରେ ପାରିଆ ଛିଡା ।
କାଠେ ତିଆରି କବାଟ ଖଣ୍ଡ
ଝାଟିମାଟି ତା' କାନ୍ଥ,
ଯତନେ ମୁହିଁ କରିଛି ଥାକ
ସଜାଡି ରଖିଛି ଗ୍ରନ୍ଥ ।
ମଟାଳ ମାଟି ଚିକିଟା ଅତି
ଚଟାଣେ ଦେଇଛି ଲେପ,
ଭାରି ଆନନ୍ଦେ ଯାଉଛି ଶୋଇ
ପକେଇ ଖଣ୍ଡିଏ ସପ ।
ବହୁ ଶୀତଳ ଦେହଟି ତା'ର
କେବେ ବି ଦେଇନି ବାଧା,
ବରଷା, ଖରା ନାହିଁ ତା' ଡର
ଗଠନେ ସେ ସାଧା, ସିଧା ।
ପରିବାର ମୋ ନିଶ୍ଚିନ୍ତେ ଏଠି
କାଟେ ସରଳ ଜୀବନ,
ଆଶ୍ରିତ ମଧ୍ୟେ ସୁରକ୍ଷା ଦେଇ
ମୋ ପାଇଁ ହୁଏ ମହାନ ।