ମୋ ସୁନା ନୁହଁ ଭେଣ୍ଡି
ମୋ ସୁନା ନୁହଁ ଭେଣ୍ଡି
ବିଶ୍ୱାସ ଭରସା ଦାନ ଧର୍ମ ମୋର
ଚାଲିଗଲା ପଥ ହୁଡ଼ି,
ତେର ନଈ ସାତ ଦରିଆ ଡେଇଁଲି
ଆଞ୍ଜୁଳେରେ ଗଲି ବୁଡ଼ି..।
ଓଷା ବାର ବ୍ରତ ମାନସିକ କରି
ଲକ୍ଷେ ଶିବ ପୂଜି ଥିଲି,
ସେଇ ପୂଜାଫଳ ଦିନ ଗଣେ ଆଜି
ଆଜି ମୁଁ ଯିବି ନା କାଲି।
ସରିଲେ ମୋ ଦିନ ଆପେ ଚାଲିଯିବି
ଆର ପୂର ନିକଟରେ,
ଦହଗଞ୍ଜ ଏତେ ସହି ହେଉନିରେ
ମରଣ ର ଫାଟକରେ।
ଧନ ମଣି ପାଇଁ ସୁନା ଧନ ସଞ୍ଚି
ରଖିଥିଲି ଗୋପନରେ,
ବଜର ତା ମୁଣ୍ଡେ ଶୁଦ୍ଧି କ୍ରିୟା ପାଇଁ
ପାଇ ଯୋଟେ ଯତନରେ।
ସେଥିପାଇଁ ଆଜି ସାଜିଛି ଫେରେଇ
ବୁଲି ବୁଲି କରେ ଫେରି,
ନିଜ ଶୁଦ୍ଧି ଖର୍ଚ୍ଚ ଆଗୁଆ ଦେଇଣ
ଶାନ୍ତି ରେ ଯିବି ମୁଁ ମରି।
ଗଲାପରେ ଆଉ ଦୋଷ ଦେବୁନି ରେ
ସେପୂରେ ହେବି ଦରାଣ୍ଡି,
ପାଇ ପାଇ ଯୋଟି ହସକୁ ଉକୁଟି
ମୋ ସୁନା ନୁହଁ ଭେଣ୍ଡି ବିଜୟ।।
