STORYMIRROR

Sasmita Choudhury

Others

3  

Sasmita Choudhury

Others

ମୋ' ପ୍ରିୟ କଲମ

ମୋ' ପ୍ରିୟ କଲମ

1 min
147

ସଂସାରର ବିବର୍ତ୍ତନ, 

ନବ ଜାଗରଣ, 

'ଫ୍ରୟେଡୀୟ' ମନସ୍ତତ୍ତ୍ବ, 

ବିଶ୍ବ ଯୁଦ୍ଧ ବୋମା ବିସ୍ଫୋରଣ, 

ସବୁ ଯା'ର

ଶାଣିତ ମୁଖରେ, 

କବି ଠାରୁ ସମ୍ରାଟ ଯାଏ, 

ଥାଏ ଯିଏ ସବୁରି ପାଖରେ, 

ନିରପେକ୍ଷ, ନିର୍ଲିପ୍ତତାର

ଚରାଚର ବାର୍ତ୍ତାବହ ଯିଏ

ସେ ମୋର ପ୍ରିୟ କଲମ

 ନୁହେଁ ଆଉ କିଏ? 


ସେ ଲେଖିଛି, 

ଦେଖିଛି ବି

ମୋଗଲ ସାମ୍ରାଜ୍ୟର 

ଉତ୍ଥାନ ପତନ

ପଞ୍ଚତନ୍ତ୍ର, ଅମୁକ୍ତମାଲ୍ଯଦା, 

ଗୀତଗୋବିନ୍ଦ ଓ ଗୀତାଞ୍ଜଳି, 

ଲୁଚେଇନି ସତ୍ଯକୁ

କେବେ ପେଟ ତଳେ, 

ଅନ୍ଧାରରେ ବିଲୁପ୍ତ ହୋଇନି

ନିଷ୍ଠାର ସଚ୍ଚୋଟ ପୂଜାରୀଟିଏ, 

ସେ ମୋର ପ୍ରିୟ କଲମ 

ନୁହେଁ ଆଉ କିଏ? 


ଗୋଲାମୀ କରିନି କେବେ 

ଖୋସାମତି ନାହିଁ ତା 'ର

ଜନ୍ମ ଜାତକରେ, 

ସୂକ୍ଷ୍ମ ଅସୀ ଠାରୁ ବଳି 

ସୂତୀକ୍ଷ୍ଣ ଏ

ମସୀ ଅସ୍ତ୍ର, 

ଭେଦିଯାଏ ମର୍ମୁ ମର୍ମ

ଚାନ୍ଦିନୀରୁ ଚନ୍ଦ୍ରପୃଷ୍ଠ, 

ପାଗୋଡାରୁ ବାବ୍ରୀ ମସଜିଦ୍, 

ଜୀବନରୁ ଜୀବାଶ୍ମ ଯାଏ 

ସେ ମୋର ପ୍ରିୟ କଲମ 

 ନୁହେଁ ଆଉ କିଏ? 


ବନିଛି ସେ ସାଧକଟେ

କେବେ ପଥିକର ତ

କେବେ ପୁଣି ପ୍ରତୀକର

ବା ପ୍ରତ୍ଯୟର, 

ନହେଲେ କି 

"ଭୋଳାନାଥ ଖମାରିଆକୁ ଚିଠି"

କିମ୍ବା "ଉଠ କଙ୍କାଳ" ର

ତୀବ୍ର ସ୍ବର

ଦୋହଲାଇ ଦେଇଥାନ୍ତା 

ଇଂରେଜର ଛାତି

ସେ"କାରା କବିତା "। 

ବିରହୀ କ୍ରୌଞ୍ଚ ଟିରବେଦନାରୁ

'ରାମାୟଣ 'ଲେଖିଗଲା ଯିଏ, 

 ସେ ମୋର ପ୍ରିୟ କଲମ 

  ନୁହେଁ ଆଉ କିଏ? 


ପ୍ରଜ୍ଞାର ସେ ରୂପକାର

ସଭ୍ୟତାର

ନୀରବ ବାହକ, 

କିଏ ଜାଣିଥାନ୍ତା ଭାଇ 

ବିଶ୍ବ ବ୍ରହ୍ମାଣ୍ଡକୁ, 

ମହାଶୂନ୍ଯ, ମହା ଅନ୍ଧକାର, 

ନଲେଖି ଥାଆନ୍ତେ ଯଦି 

ବୈଜ୍ଞାନିକ, ଦାର୍ଶନିକ, ଚିନ୍ତା ନାୟକ। 

ସ୍ଥିରୀକୃତ ମୃତ୍ୟୁ ବା

ମୁକ୍ତିର କାରକଟେ ଯିଏ,   

 ସେ ମୋର ପ୍ରିୟ କଲମ 

 ନୁହେଁ ଆଉ କିଏ? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍