ମୋ ମାଟି ମା
ମୋ ମାଟି ମା
ଆସିଛି ମୁଁ ଆଜି ତାହାରି ପାଇଁ କି
ରଖିବାକୁ ତାର ଟେକ ।
ଫେରିବି ନିଶ୍ଚିତ ମୋ ମାଟି କୁ ପୁଣି
ରଖିଲେ ତାହାରି ଟେକ ।।୧
ତା ଧୂଳି ରେ ଗଢା ମୋହରି ଶରୀର
ତା ପବନ ମୋର ପ୍ରାଣ ।
ଭଲ ଲାଗେ ମୋତେ ସେ ମାଟିର ପାଣି
ଭଲ ଲାଗେ ବିଲ ବଣ ।।୨
ସେ ମାଟି ର କଥା ଆଜି ମନେ ପଡେ
ଅଛି ଯେବେ ପ୍ରବାସ ରେ ।
ଆସିଛି ମୁଁ ଆଜି ଛାଡି ମୋର ମାଟି
ଛାଡି ମୋର ପରିବାରେ ।।୩
ମୋ ସପନ ନିଶ୍ଚେ କରିବି ପୂରଣ
ଦେଲେ ସିଏ ଆଶିର୍ବାଦ ।
ରଖିବି ନିଶ୍ଚିତ ମୋ ମାଟିର ଟେକ
ଶୁଭିବ ଶଙ୍ଖର ନାଦ ।।୪
ଆସିଛି ସିରାରେ ଛାଡି ମୋର ମାଟି
ବିଲ ବଣ ତରୁ ଲତା ।
ଫେରିବି ନିଶ୍ଚିତ ତାହାରି କୋଳକୁ
ଜଳିବ ସେଇଠି ଚିତା ।।୫
ତା କୋଳରେ ଦିନେ ବଢିଥିଲି ମୁହିଁ
କାନ୍ଦି ଥିଲି କୁଆଁ କୁଆଁ ।
ଫେରିବି ନିଶ୍ଚିତ ମୋ ମାଟି କୁ ପୁଣି
ରଖିଲେ ତାହାରି ନାଆଁ ।।୬
