ମୋ ଗାଁଆ
ମୋ ଗାଁଆ
ସମୟ ତାଳରେ, ତାଳକୁ ମିଳାଇ,
ସଭ୍ୟତା ବଦଳୁ ଅଛି ।
ଗାଁଆ ମୋର ଆଜି,ନୂଆରଙ୍ଗ ନେଇ,
ସହର ପରି ଲାଗୁଛି ।।
ମନ୍ଦିର ତ ଅଛି, ନାହିଁ ପୂଜା ପାଠ,
ଭକ୍ତି ନାହିଁ ହୃଦେ କାର ।
ସତ୍ୟପଥ ଛାଡି, ଅଧର୍ମ ମାର୍ଗକୁ,
କରନ୍ତି ଜନ ଆଦର ।।
ଆମ୍ବ ତୋଟା ନାହିଁ, ନାହିଁ ବଣ ବୁଦା,
ନାହିଁ ସେ ବର ଓହଳ ।
ଜାଗା ଜାଗା ହୋଇ,କଳି ଝଗଡାରେ,
ଅଶାନ୍ତିର ଚାଲେ ଖେଳ ।।
ବର କୋଳି ନାହିଁ, କଇଥ ବି ନାହିଁ,
ନାହିଁ ପିଜୁଳିର ଗଛ ।
ଶାଶୁ ବୋହୁ କଳି, ବାପା ପୁଅ କଳି,
ଜିତୁଛି କେବଳ ମିଛ ।।
ହସ୍ତେ ମୋବାଇଲ,ଚକ୍ଷୁରେ ଏଲସିଡ,
ପାଦେ ବାଇକିର ବ୍ରେକ ।
ପଲଙ୍କ ସେଜରେ, ତାପ ନିୟନ୍ତ୍ରଣ,
ସ୍ୱର୍ଗ ସୁଖର ଏ ଭେକ ।।
ପକ୍କା ପିଚୁ ରାସ୍ତା, ବିଜୁଳି ଆଲୁଅ,
ସହର ଭଳି ଲାଗଇ ।
ସବୁ ଥାଇ ମଧ୍ୟ, ନାହିଁ ହସ ଖୁସି,
ଏକତା କାହାର ନାଈଁ ।।
ଏଇ ଗାଁଆ ମୋର, ଜନମ ଭୂଇଁ ଯେ,
ମାଟିକୁ ତାର ପ୍ରଣାମ ।
ବଞ୍ଚି ଥିବା ଯାଏ, କରି ସତକର୍ମ,
ରଖିବି ତାହାର ନାମ ।।