ମଣିଷ ଜୀବନ
ମଣିଷ ଜୀବନ
ମଣିଷ ଜୀବନ ନୁହଁଇ କେବଳ
ଜନ୍ମ ମରଣ ସଂସାର ।
ମଣିଷ ଜୀବନ ଦୁର୍ଲ୍ଲଭ ଜନମ
ଶ୍ରେଷ୍ଠ ପ୍ରାଣୀ ସଂସାରର ।।୧
ନୁହେଁ ତା ଜନମ ଆହାର ମୈଥୁନ
ନୁହଁଇ ସେ ପଶୁ ଜାଣ ।
ମଣିଷ ଜୀବନେ ବହୁଜନ୍ମ ପୁଣ୍ୟେ
ଲଭଇ ସେ ପିଣ୍ଡ ପ୍ରାଣ ।।୨
ମଣିଷ ଜୀବନ ନୁହଁଇ କେବଳ
ପରିବାର ନିଜ ପାଇଁ ।
କୀଟ ରୁ ପତଙ୍ଗ ପଶୁରୁ ଜଳଜ
ସଭିଙ୍କର ହିତ ପାଇଁ ।।୩
ମଣିଷ ଜୀବନ ଦୁଇଦିନ ପ୍ରାଣ
ପ୍ରଶ୍ୱାସେ ନାହିଁ ବିଶ୍ୱାସ ।
ଚାଲୁ ଚାଲୁ ଏଠି ପାଦ ଖସି ଯାଏ
ପ୍ରାଣ ହୋଇଯାଏ ଶେଷ ।।୪
ଅଢେଇ ଦିନର କୁଣିଆ ମଣିଷ
ଦୁନିଆ ଟା ରଙ୍ଗ ମଞ୍ଚ ।
ଅଭିନୟ ସାରି ବାହୁଡ଼ି ଆସଇ
ରହିଥାଏ ଯଶ ଛାଞ୍ଚ ।।୫
ମଣିଷ ଜୀବନ ନୁହଁଇ କେବଳ
ବର୍ଷ ମାସ ଦିନ ଦଣ୍ଡ ।
କର୍ମେ ଏଠି ନର କର୍ମ ବଳେ ତାର
ପାଲଟି ଯାଏ ସେ ଷଣ୍ଢ ।।୬
ମଣିଷ ଜୀବନ ନୁହଁଇ କେବଳ
ଅର୍ଥ ହାସଲ ସଂସାର ।
ଯଶ ରଖିଗଲେ ମଣିଷ ଜୀବନେ
ହୋଇଯାଏ ସେ ଅମର ।।୭
ମଣିଷ ଜୀବନ ନୁହଁଇ କେବଳ
ତେଲ ଲୁଣ ଚା ସଂସାର ।
ପାଇଁ ଜନ୍ମ ଭୂମି ସେବା ମାତୃକାର
ଜନମ ନର ଆମର ।।୮
ଆମ ଭିତେ ଅଛି ସହସ୍ର ବଳ ଯେ
ଅଛି ତେଜ ସୁଦର୍ଶନ ।
ଓଡ଼ିଆ ଜାତିର ଟେକ ରଖିଗଲେ
ହୋଇବ ଜାତି ମହାନ ।।୯
