ମଣିଷ ଗୋଟିଏ ତାର ନାନା ରୂପ
ମଣିଷ ଗୋଟିଏ ତାର ନାନା ରୂପ
ଜୀବନର ରାସ୍ତା ଆବଡା ଖାବଡା
ଚାଲିବାଟା ଭାରି କଷ୍ଟ,
ଧୀରେଧୀରେ ପାଦ ଥାପି ନ ଚାଲିଲେ
ଜୀବନ ହୋଇବ ନଷ୍ଟ।
ଦୁହିତା ଜନମ ଦୁଇକୂଳ ଲାଗି
ହିତ ସେ କରିବା ପାଇଁ,
ଜୀବନ ତା' ସଦା ଦି ଛକିରେ ଥଏ
ପାଦେ ପାଦେ ଜଗି ଚଳୁଥାଇ।
ପ୍ରତିକ୍ଷଣ ଥାଏ, ଆଗରେ ପଛରେ
ଏକଡେ ସେକଡେ କଣ୍ଟା,
ହାତ ମାପି ଦୁଇ ଆଙ୍ଗୁଳି ଚାଲିଲେ
ତଥାପି ତ ଭାଙ୍ଗେ ଅଣ୍ଟା।
ବାପଘରେ ରାଜଦୁଲାଳୀ ପରାୟେ
ବାପା ମାଆ ସ୍ନେହ ଶ୍ରଦ୍ଧାରେ ବନ୍ଧା,
ସାଇ ପଡିଶାର ଦାଦା ଖୁଡି ଜେଜେ
ଜେଜେମା ସମ୍ପର୍କେ ଛନ୍ଦା।
ବଡ଼ହୋଇ ଝିଅ ଭୁଲି ଧୂଳି ଖେଳ
ଭୂଲି କଣ୍ଢେଇ ର ବାହାଘର,
ଚାଲିଯାଏ ବାପଘର ମୋହଛାଡି
ବୋହୁ ସେ ଶାଶୁ ଘରର।
ଝିଅ ଜନମ ତ ବୋହୁ କରମ
ତା ସାଥେ ହୁଅଇ ମାଆ,
ଜୀବନର ଏହି ଦୋ ଛକିରେ ଥାଇ
କୁହେ ହୁଅ ଜଗନ୍ନାଥ ସାହା।
ଗୋଟିଏ ମଣିଷ କରମ ବହୁତ
ସଭିଙ୍କ ପାଖରେ ତା ନାନା ରୂପ,
ସତେକି ତା ପାଇଁ ତାର ସେ ଜୀବନ
ହୋଇଥାଏ ଅଭିଶାପ।