ମନକଥା
ମନକଥା


ଧାରା ଶ୍ରାବଣର
ବରଷା ଧାରାରେ
ଭିଜିଲି ମୁଁ ଯାଇ ଯେବେ,
ତା ମନ ତଳର
ରିମ୍ ଝିମ୍ ଭାଷା
ବୁଝି ମୁଁ ପାରିଲି ତେବେ।
ସାଗର କୂଳରେ
ଖେଳୁଥିଲା ଦୋଳି
ତା'ର ଅମାନିଆ ଢେଉ,
ପଢ଼ି ମୁଁ ପାରିଲି
ତା ମନର କଥା
ଲହରୀକୁ ଛୁଉଁ ଛୁଉଁ।
ମଧୁ ମଳୟର
ପହିଲି ପରଶେ
ରୋମାଞ୍ଚିତ ହେଲି ଯହୁଁ
ବୁଝି ହୋଇଗଲା
କୋଇଲି କଣ୍ଠର
ସୁମଧୁର କୁହୁ କୁହୁ।
ପ୍ରଭୂ ଶ୍ରୀପୟରେ
ବାଢିବାକୁ ଅର୍ଘ୍ୟ<
/p>
ତୋଳିଲି ଯେଉଁ ସୁମନ,
ବୁଝିଗଲି ତା'ର
ଅନ୍ତର ଭାବନା
ସମର୍ପିତ ତା'ର ମନ।
ଶୀତୁଆ ସକାଳେ
ରବିର କିରଣ
ଦେହେ ହେଲାବେଳେ ବୋଳି,
ଜଗତର ହିତେ
ତା' ଅନ୍ତର ବ୍ୟଥା
ପାରୁଥିଲି ମନେ କଳି।
ଏ ସାରା ସଂସାରେ
ବୁଝିହୁଏ ସିନା
ସଭିଙ୍କର ମନକଥା,
ମଣିଷର ମନ
ହୁଏନାହିଁ ବୁଝି
ଜଟିଳ ଗଣିତ ଯଥା।