STORYMIRROR

Dr Subas Chandra Rout

Others

3  

Dr Subas Chandra Rout

Others

ମନେ ପଡେ ତୁମ କଥା

ମନେ ପଡେ ତୁମ କଥା

2 mins
666


ତୁମେ ଦେଇନାହଁ ସ୍ଵୀକୃତି କେବେ, ମୁଁ ଦେଇନାହିଁ କଥା,

ତଥାପି କାହିଁକି ମଳୟ ବୋହିଲେ ମନେପଡେ ତୁମ କଥା !

‘ଭଲ ପାଏ’ କେବେ କହିନାହଁ ତୁମେ, ମୁଁ ବି କହିନାହିଁ କେବେ,

ଚକ୍ଷୁ ଭାଷା ପଢି ପ୍ରେମରେ ସ୍ଵାକ୍ଷର ମନ କରିଲା ନିରବେ।

ହୃଦୟ ଉଚ୍ଛ୍ଵାସ ଭାବ ଭଙ୍ଗିମାରେ ସଞ୍ଚରିତ ବୋଧେ ହେଲା,

ଆତ୍ମାରେ ଆତ୍ମାର ମିଳନ ହେବାରୁ ଆକର୍ଷଣ ବଢିଗଲା ।

ଆକାଶରେ ଯେବେ ମେଘ ଢେଉ ଖେଳେ, ମନେ ପଡେ ତୁମ ଗଭା,

ଗଗନରେ ଯେବେ ପୂର୍ଣ୍ଣ ଚନ୍ଦ୍ର ଦେଖେ, ମନେ ପଡେ ମୁଖ ଆଭା l

ଶୀତଳ ପବନ ଯେବେ ବୋହିଆସେ, ମନେ ପଡେ ତୁମ ଭାଷା,

ନୂଆ ମନେ ତୁମ ଭାବନା ଜାଗିଲେ, ମୋ ମନରେ ଆସେ ଉଷା l

ବସନ୍ତରେ ଯେବେ ଚମ୍ପା ଫୁଟିଯାଏ, ମନେ ପଡେ ତୁମ ରଙ୍ଗ,

ଶରତ ଆସିଲେ ଖୋଲି ଖୋଲି ଯାଏ ସ୍ମୃତିର ସାଇତା ଭାଙ୍ଗ l

ସାଧବ ବୋହୁକୁ ଆଷାଢେ ଦେଖିଲେ, ମନେ ପଡେ ଓଠ ତୁମ,

ଯେତେ ଦେଖିଲେବି ସବୁ ବେଳେ ନୂଆ, ତୁମେ ସଦା ଅନୁପମ l

ପ୍ରଥମ ଫୁଟନ୍ତା ଗୋଲାପ ଦେଖିଲେ, ମନେ ପଡେ ତୁମ ଦେହ,

ତୁମକୁ ଠାକୁର ବହୁଦିନ ଧରି ଗଢିଥିବେ ଅହରହ l

ହୃଦୟ ଉପରେ ଭାବ ତୁଳୀ ନେଇ କଳ୍ପନାର ରଙ୍ଗ ଦେଇ,

କେବେ ମୁଁ ଆଙ୍କିଲି ତୁମ ଚିତ୍ରପଟ, ଜମା ମନେ ପଡୁନାହିଁ l

ତୁମ ଚିତ୍ର ଯଦି ପ୍ରସ୍ତରରେ କେହି ଅଜନ୍ତାରେ ଆଙ୍କିଥାଆନ୍ତା,

ଲିଭେଇ ଦେବାକୁ କାଳ ବି ତାହାକୁ ଶକ୍ତିହୀନ ହୋଇଥାଆନ୍ତା l

ସୌନ୍ଦର୍ଯ୍ୟ ଅପେକ୍ଷା ତୁମ ବୁଦ୍ଧିମତ୍ତା କରିଥିଲା ଆକର୍ଷଣ,

ତା’ ଠାରୁ ଆହୁରି ଭଲ ଲାଗିଥିଲା ତୁମର ସେ ଭୋଳାପଣ l

ଜୀବନର ଚଲା ପଥେ ଗଲାବେଳେ ଦେଖା ଆମ ହୋଇଥିଲା,

କେଜାଣି କାହିଁକି ପରଷ୍ପର ପ୍ରତି ଅନୁରାଗ ବଢିଗଲା l

ମୋର ପ୍ରତି କଥା ମାନୁଥିଲ ତୁମେ, ମୁଁ ତ ମାନୁଥିଲି ତୁମ,

ଆକର୍ଷଣ ଥିଲା ଅତି ଭାବାତ୍ମକ, ଅତି ନିରବ ସେ ପ୍ରେମ l

ଖରା, ବର୍ଷା, ଶୀତ ଅବା ଦିନ ରାତି, ନ ଥିଲା ତୁମ ଭ୍ରୂକ୍ଷେପ,

ଯେବେବି ଡାକିଲେ ଚାଲି ଆସୁଥିଲ, ଥିଲା ବିଶ୍ଵାସ ଅମାପ l

କିଛି ଦିନ ପରେ ସମୟ ଆସିଲା ମେଲାଣି ନେବାର ଆମ,

ଭିନ୍ନ ଭିନ୍ନ ଆମ ଚଲା ରାସ୍ତା ଥିଲା, ସାମନାରେ ଥିଲା କର୍ମ l

ଏବେ ମଧ୍ୟ ମନେ ପଡିଯାଏ ସେହି ବିଦାୟ ନେବାର ବେଳ,

ତୁମ ପଦ୍ମ ଚକ୍ଷୁ ହୋଇ ଯାଇଥିଲା ଲୋତକରେ ଛଳ ଛଳ l

ପଛକୁ ଫେରି ଫେରି ଚାହୁଁଥିଲ ବିଦା ହୋଇ ଗଲାବେଳେ,

ପ୍ରସ୍ତର ପ୍ରତିମା ଭଳି ଚାହିଁଥିଲି, ଗଲ ବୃକ୍ଷ ଅନ୍ତରାଳେ l

ହୃଦୟର ଯେଉଁ ତନ୍ତ୍ରୀକୁ ମୋହର ଅଜାଣତେ ଥିଲ ଛୁଇଁ,

ସେ ସ୍ଥାନରେ କାହା ନିମନ୍ତେ ରାଗିଣୀ ବାଜି ଆଉ ପାରୁ ନାହିଁ l

ସ୍ନେହ ବାରି ଢାଳି ଢାଳି ମୋ ଉପରେ ଆତ୍ମା ସିକ୍ତ କରିଥିଲ,

ଶୁଖି ନାହିଁ, ଶୁଖା ଚେଷ୍ଟା କରି ନାହିଁ, ହୁଏ ପଛେ କଲବଲ l

ଦୁନିଆରେ କେହି କାହାର ନୁହନ୍ତି, ତଥାପି କେମିତି ହେଲା,

କଛି ଦିନ ମିଶି ସବୁଦିନ ପାଇଁ ହୃଦ ଚୋରୀ ହୋଇ ଗଲା l

ତୁମ କଥା ଯେବେ ମନେ ପଡେ ମୋର, ଉଠେ ମିଠା ମିଠା କୋହ,

ହୃଦୟର ଭାବ ବୋହିଯାଏ ହୋଇ ଦୁଇ ଧାର ଚକ୍ଷୁ ଲୁହ l


Phone - 7978059851


Rate this content
Log in