ମକରରେ ମନେପଡ଼େ ଖୋକାଭାଇ ଗୁଡ଼ି
ମକରରେ ମନେପଡ଼େ ଖୋକାଭାଇ ଗୁଡ଼ି
ମକର ସଂକ୍ରାନ୍ତି ଆସି ଗଲେ ମନେ ପଡ଼ି ଯାଆନ୍ତି ଖୋକା ଭାଇ ଓ ତାଙ୍କର ସେହି ଗୁଡ଼ି ଗୀତ,'ଉଡ଼ି ଉଡ଼ି ଉଡ଼ି ଯାଆରେ ଗୁଡ଼ି'l ସବୁଠାରୁ ରୋଚକ ଓ ତାତ୍ପର୍ଯ୍ୟ ପୂର୍ଣ୍ଣ ହେଉଛି, ଏହି ଗୀତ ପଛର ଗପ l
ଚଳଚ୍ଚିତ୍ର ନିର୍ମାତା ଧୀର ବିଶ୍ୱାଳ 1968 ସାଲରେ " କିଏ କାହାର " ଚଳଚ୍ଚିତ୍ର ନିର୍ମାଣ କରୁ ଥାନ୍ତି l ଏହାର ନିର୍ଦ୍ଧେଶକ ଥାନ୍ତି ନିତାଇ ପାଲିତ l ଦିନେ ନିତାଇ ପାଲିତଙ୍କ ଘରେ ବସି ଆଡ୍ଡା ମାରୁ ଥାନ୍ତି ଅକ୍ଷୟ ମହାନ୍ତି ଓ ନାରାୟଣପ୍ରସାଦ ସିଂହ l କଥା ପ୍ରସଙ୍ଗରେ ନିତାଇ ପାଲିତ ପ୍ରସ୍ତାବଟିଏ ରଖିଲେ, ଏହି ଚଳଚ୍ଚିତ୍ରପାଇଁ ଗୁଡ଼ି ଉପରେ ଗୋଟିଏ ଗୀତ ରଖିବା ଯାହାକୁ ଅକ୍ଷୟ ଗାଇବ ଓ ସେହି ଗୀତକୁ ଲେଖିବେ ନାରାୟଣ ପ୍ରସାଦ ସିଂ l ସେ ଅକ୍ଷୟ ଓ ନାରାୟଣ ସିଂଙ୍କୁ କହିଲେ ତୁମେ ଦୁଇଜଣ କଟକ ସେମିନାରୀ ସ୍କୁଲ ପାଖ ମୁସଲମାନ ବସ୍ତିକୁ ଯାଇ ଗୁଡ଼ି ଉଡାଉଥିବା ପିଲାମାନଙ୍କ ସହ ମିଶ l ତାଙ୍କ ଠାରୁ ଗୁଡ଼ି ଉଡ଼ାଇବାର ଭାଷା ଓ କୌଶଳ ଶିକ୍ଷା କର ଏବଂ ତାକୁ ଗୀତ ଓ ସଙ୍ଗୀତରେ ପ୍ରୟୋଗ କର l ସିକନ୍ଦର ଆଲାମ ଶିଖରପୁରରେ ରହୁଥାନ୍ତି ଏବଂ ତାଙ୍କର ସାହି ପିଲାଙ୍କ ସହିତ ଭଲ ଦୋସ୍ତି ଥାଏ l ପରଦିନ ଅକ୍ଷୟ ମହାନ୍ତି ଏବଂ ନାରାୟଣ ପ୍ରସାଦ ସିଂ ସାଙ୍ଗରେ ସିକନ୍ଦର ଅଲାମଙ୍କୁ ନେଇ ସେହି ମୁସଲମାନ ବସ୍ତି ଆଡ଼େ ଚାଲିଲେ l ଯାଇ ସେମାନେ ସାହିପିଲାଙ୍କ ସହ ଦୋସ୍ତି ଜମାଇଲେ l ପିଲାମାନଙ୍କ ମନୋରଞ୍ଜନ ପାଇଁ ଅକ୍ଷୟ ମହାନ୍ତି ଓ ସିକନ୍ଦର ଆଲାମ ବସି ଗୁଣୁଗୁଣୁ ହୋଇ ଗୀତ ଗାଇଲେ,ଉଜିର ମିଆଁ ତାଙ୍କ ସହ ମାଉଥ ଅର୍ଗାନ ବଜାଇ ସହଯୋଗ କଲେ l ସାହିପିଲାମାନେ ସବୁ ଆସି ଆନନ୍ଦରେ ରୁଣ୍ଡ ହୋଇଗଲେ l କରିମ ମିଆଁ ଏତିକିବେଳେ ହାତରେ ଗୁଡ଼ି ନଟେଇ ଧରି ପହଞ୍ଚି ଗଲା l ଏହା ଦେଖି ଅକ୍ଷୟ ନାରାୟଣଙ୍କୁ କହିଲେ 'ଆରେ ଭାଈ ଏବେ ଗୁଡ଼ି ଗୀତଟା ଆରମ୍ଭ କର 'l ସେଦିନ ଗୀତର ମୁଖଡ଼ାଟି ଲେଖା ହୋଇ ଗଲା l
ତା' ପର ଦିନ ଉପର ଓଳି ସମସ୍ତେ ସେମିନାରୀ ସ୍କୂଲପଡିଆରେ ପହଞ୍ଚିଲେ,ସେତିକିବେଳେ ଦଳେ ପିଲା ଗୁଡ଼ି ଉଡ଼ାଇବା ପାଇଁ, ସ୍କୁଲ ହତାରେ ଗୁଡ଼ି ନଟେଇ ସହ ପହଞ୍ଚିଲେ l ପିଲା ମାନଙ୍କ ପାଖରୁ କାନିଖାଇବା ଓ ଲଚକମାଣି ଶବ୍ଦ ଦୁଇଟିକୁ ଶୁଣି ଗୀତ ଭିତରେ ପ୍ରୟୋଗ କରିବା ପାଇଁ ନାରାୟଣ ପ୍ରସାଦ ଲେଖି ରଖିଲେ,କିଛିଦିନପରେ ସେମାନେ ପୁଣି ସ୍କୁଲ ପଡିଆକୁ ଗଲେ l ଗୁଡ଼ି ଉଡାଉ ଥିବା ଗୋଟିଏ ପିଲାର ସୂତା ଛିଣ୍ଡିଗଲା l ଏହାକୁ ଦେଖି ଆଉ ଜଣେ ପିଲା କହିଲା ତୋ'ର ସୂତା ନମ୍ବରୀ ନୁହେଁ ଓ ମାଞ୍ଜା ଠିକ ଦିଆ ହୋଇ ନାହିଁ ବୋଲି ଛିଣ୍ଡିଗଲା l ଏଥିରୁ ନାରାୟଣ ଦୁଇଟି ଶବ୍ଦ ଶିଖି ନେଲେ l ତା' ପରେ ପିଲା ମାନଙ୍କୁ ପଚାରି ଆଉ କେତୋଟି ଶବ୍ଦ ଯଥା କଲିକତି ନଟେଇ, ସୁରକି ଦେବା,ଫେଂଞ୍ଚ, ଲୋଟଣି ଖାଇବା ଶିଖିଲେ l ତା ପରେ ପିଲା ମାନଙ୍କ ଠାରୁ ଜାଣିବାକୁ ପାଇଲେ, ଗୁଡ଼ିର ସବୁ ନାମ ଅଛି ବୋଲି ଯେମିତ ଠିକିରି, ପଟାଦାର, ସାପ, ଗଙ୍ଗା ଯମୁନା ଇତ୍ୟାଦି l ଏହି ସବୁ ଶବ୍ଦକୁ ବ୍ୟବହାର କରି ନାରାୟଣ ପ୍ରସାଦ ସିଂ ସମ୍ପୂର୍ଣ୍ଣ ଗୀତଟି ଲଖି ଦେଲେ l ଏହାକୁ ସ୍ୱର କରି ଅକ୍ଷୟ ମହାନ୍ତି ଚମତ୍କାର ଭାବେ ଗାଇଲେ l ଗୀତ ରେକର୍ଡ଼ିଂହେଲା କଲିକତା ଟେକନିସିଆନ ସ୍ଟଡ଼ିଓରେ l କଲିକତା ଯାଇଥାନ୍ତି ଅକ୍ଷୟ ମହାନ୍ତି, ନାରାୟଣ ପ୍ରସାଦ ସିଂ, ଧୀର ବିଶ୍ୱାଳ ଓ ଶାରଦା ପ୍ରସନ୍ନ ନାୟକ l ରେକର୍ଡ଼ିଂ ହେଲା ବେଳେ ସେଠି ଉପସ୍ଥିତ ଥାନ୍ତି ବଙ୍ଗଳାର ବିଶିଷ୍ଟ ଅଭିନେତା ତଥା କେତେ ଜଣ ବଙ୍ଗୀୟ କଳାକାର l ରେକର୍ଡହେବା ପରେ ଗୀତଟି ଦୁଇ ତିନି ଥର ସେଠାରେ ବଜାଇ ସମସ୍ତଙ୍କୁ ଶୁଣାଇ ଦିଆଗଲା l ବଙ୍ଗୀୟ କଳାକାର ମାନେ ଏତେ ଖୁସି ହୋଇ ଯାଇଥିଲେ ଯେ ସ୍ୱତଃ ପ୍ରବୃତ୍ତଭାବେ କହିଲେ,"ଏଇ ଗାନଟି ଦାରୁନ ହିଟ ହବେ ଦାଦା "l ତାହା ହିଁ ହୋଇଥିଲା l ଶୁଣାଯାଏ 'କିଏ କାହାର' ଫିଲ୍ମ ରିଲିଜ ହେଲାପରେ ଗୀତଟି ଯେତେବେଳେ ବଜାରରେ ବାଜିଲା କଟକର ଗୁଡ଼ି ଦୋକାନ ମାନଙ୍କର ବ୍ୟବସାୟ ବହୁଗୁଣରେ ବଢ଼ି ଯାଇଥିଲା l ଗୀତରେ ଥିବା ଗୁଡ଼ି ମାନଙ୍କର ନାମ ଅନୁସାରେ ସେହି ପ୍ରକାର ଗୁଡ଼ି ବେଶି ସଂଖ୍ୟାରେ ବିକ୍ରି ହୋଇଥିଲା l ଏବେ ମଧ୍ୟ ଏହି ଗୀତର ସ୍ୱାଦ ମଳିନ ପଡ଼ି ନାହିଁ l ମକର ସଂକ୍ରାନ୍ତି ଅବସରରେ ଗୁଡ଼ିଉଡ଼ା ପର୍ବ ପାଳିତ ହେଲେ ଏ ଗୀତ ରେଡ଼ିଓ, ଟିଭି ଓ ସାହି ସାହି ସବୁଆଡ଼େ ବାଜି ଉଠେ l
ସମ୍ପୂର୍ଣ୍ଣ ଗୀତଟି ନିମ୍ନ ପ୍ରକାରେ :-
ଉଡ଼ି ଉଡ଼ି ଉଡ଼ି ଯାଆରେ ଉଡ଼ି ,
ଏ ମୋର ଗୁଡ଼ି,ଖାଅନା ଖାଅନା ତୁ କାନି
ଏ ମୋର ଲଚକମାଣି
ଏ,ମୋର ଲଚକମାଣି l (ଘୋଷା)
କଲିକତି ଲଟେଇ ମୋର
ନମ୍ବରୀ ସୂତାରେ ମାଞ୍ଜା,
ପଟାଦାର ଵନିଯା ରାଣୀ,
ମୋ ଠିକିରି ହେବ ତୋ ରାଜା,
ଟିକିଏ ସୁରକି ଦେଲେ
ନେଇ ଯା ଯା ଯା ଲୋଟଣି,
ଏ ମୋର ଲଚକମାଣି,ଏ ମୋର ଲଚକମାଣି l
ଆହା ଲୋ ଗଙ୍ଗା ଯମୁନା,
ମୋ ଠିକିରି ତୋହରି ବାବା,
ଆକାଶେ ବୁରୁନ୍ଦୁ ହୋଇ,
ତୋତେ ମୁଁ କରିବି କାବା,
ପଡ଼ିବ ପେଞ୍ଚ ତୋ ସାଥେ,
ସାରିଦେବ ତୋର ରଂଗ ଯୱାନି,
ଏ ମୋର ଲଚକ ମାଣି,ଏ ମୋର ଲଚକ ମାଣି l
