ମଝି ଫର୍ଦ୍ଦ
ମଝି ଫର୍ଦ୍ଦ
ନିର୍ଧୁମ ବୈଶାଖର ଦ୍ବିପ୍ରହରରେ ,
ବହି ଦିଆନିଆର ଆସର ଭିତରେ ,
ମଝି ଫର୍ଦ୍ଦରେ ଲୁଚି ରହିଥିବା ଗୋଲାପ ଫୁଲଟିର ଶୁଖିଯାଉଥିବା କାହାଣୀଟି ,
ଇଣ୍ଟରନେଟର କୋଳାହଳ ଭିତରେ କେବେଠାରୁ ଝଡି ଗଲାଣି ।
ଆଜି ମରୀଚିକା ପାଲଟିଛି ଜୀବନର ନଈ ବାଲି ।
ମାନବିକତାର ଜୁଇ ତଳେ ଛଟପଟ ହେଉଛି ସ୍ଵପ୍ନରେ ଧାଉଁଥିବା ସୁନା ହରିଣୀ ।
ମୃଦଙ୍ଗ ବଜେଇ ଅଟ୍ଟହାସ୍ୟ କରୁଛି ସମାଧି ତଳର କଙ୍କାଳ ।
ଡିଜେଲ ଗନ୍ଧ ସହ ମିଶିଯାଉଛି ଆମ ଗାଁ ଆମ୍ବ ବଉଳର ବାସ୍ନା ।
'ତୁମ' ଆଉ 'ମୋ' ଭିତରେ ସଜାଡି ହେଉନି ଆଉ
'ଆମ'କୁ, ଆମ ସ୍ଵପ୍ନକୁ, ଆମ ପୃଥିବୀକୁ ।
ସବୁକିଛି ଅସ୍ତବ୍ୟସ୍ତ ହେଇ ପଡିଛି ।
ଆତ୍ମା , ଶରୀର , ମାଟି , ଆକାଶ ସବୁକିଛି ।
ପ୍ରତିଦ୍ଵନ୍ଦୀ ସାଜିଛି କଇଁଫୁଲ ଆଜି , ବୁଝି ପାରେନାହିଁ ପୁନେଇଁ ଜହ୍ନର ଭାଷା ।
କୋଇଲିଟା ବି ପଚାରେ , କାଉ ବସାର ଭଡା କେତେ ?
