STORYMIRROR

Sudruma Panda

Others

4  

Sudruma Panda

Others

ମିଠା ଲୁହ

ମିଠା ଲୁହ

1 min
225


ଦୁଃଖେ ସୁଖେ ସଦା ସହଚର ହୋଇ

ଆମୂଳଚୁଳ ଯେ ନିଏ ପରଖି,

ସେହି ତ ଆମର ଅତି ଆପଣାର

ଅତି ଆତ୍ମୀୟ ସେ ଦୁଇଟି ଆଖି ।। ୧


ସୁଖ ହେଉ ଅବା ହୋଇ ଥାଉ ଦୁଃଖ

ସଙ୍ଗେ ସଙ୍ଗେ ଦେଖାଇ ପ୍ରତିକ୍ରିୟା,

ଦୁଇ ଟୋପା ଲୁହେ ସୁଖ କୁ ବଢାଏ

ଦୁଃଖ କୁ କରି ଦିଅଇ ହାଲୁକା ।। ୨


ଭାବ ପ୍ରବଣତା ଆସେ ଯେତେବେଳେ

ଭାବରେ ହୃଦୟ ହୁଏ ବିହ୍ବଳ,

ମିଠା ଲୁହ ଦୁଇ ଧାର ଗଡି ଗଲେ

ମିଠା ସ୍ମୃତି ହୋଇ ଯାଏ ସେ ବେଳ ।। ୩


ଭାବ ଭକତି ରେ ପୂରଇ ହୃଦୟ

ସମ୍ମୁଖେ ଦେଖିଲେ ନିଜ ଆରାଧ୍ୟ,

ମିଠା ମିଠା ଲୁହେ ଗଣ୍ଡ ଅତିକ୍ରମି

ବକ୍ଷ ଦେଶକୁ ବି କରଇ ସିକ୍ତ ।। ୪


ଅନ୍ତ ଫାଡ଼ି ମାଆ ଜନ୍ମାଏ ସନ୍ତାନ 

ଦାରୁଣ ପ୍ରସବ ବେଦନା ସହି,

ଦେଖିଦେଲେ ସନ୍ତାନର ଚାରୁ ମୁଖ 

ମିଠା ମିଠା ଲୁହ ଆସଇ ବହି ।। ୫


ସେହି ସନ୍ତାନ କୁ ମଣିଷ ଭାବରେ

ଛିଡ଼ା କରିବାକୁ ଯେତେ କଷଣ,

ହସି ହସି ସହି ଥାନ୍ତି ତାତ ମାତ

ଲୁହକୁ ଭାବି ଆଖିର ଭୂଷଣ ।। ୬


ଅତି ଅଲିଅଳେ ବଢାଇ ଝିଅକୁ

ଶଶୁର ଘରକୁ ଦେଇ ବିଦାୟ,

ସୁଖ ମିଶା ଦୁଃଖ ଲୁହେ ପିତା ମାତା

ବୁଡାଇ ଦିଅନ୍ତି ନିଜ ହୃଦୟ ।। ୭


ବିଜନ ସମୟେ ଯେବେ ରୋମନ୍ଥିତ

ହୁଅଇ ବିଗତ ସ୍ମୃତି ଫରୁଆ,

ତତଲା ଲୁହ ରେ କେବେ ଜଳେ ହୃଦ

ମିଠା ଲୁହେ କେବେ ପୁଲକେ ହିଆ ।। ୮


ଲୁହ କେବେ ହୋଇ ଲବଣ ସାଗର

ଧୋଇ ନିଏ ଯେତେ ସୁଖ ସରାଗ,

ସେହି ଲୁହ କେବେ ମିଠା ଅନୁଭବେ

ଜୀବନ କୁ କରି ଦିଏ ସ୍ବରଗ ।। ୯


Rate this content
Log in