ମିଳନ୍ତା କି ସାଥୀ ପରି ସାଥୀଟିଏ
ମିଳନ୍ତା କି ସାଥୀ ପରି ସାଥୀଟିଏ
ମିଳନ୍ତା କି ସାଥୀ ପରି ସାଥୀଟିଏ
ଜୀବନ ମରୁରେ ବୁହନ୍ତା ଝରଣା,
ଦୁଃଖ ସୁଖ ବାଣ୍ଟି ଏକ ସାଥେ ଚାଲି
ଖୋଜୁଥାନ୍ତି ବାସ୍ତବତାର ଠିକଣା।
ମନେ ତାର ଥାନ୍ତା ଅନାବିଳ ପ୍ରେମ
ମୁଖେ ଥାନ୍ତା ମଧୁର ବିନୟ ଭାଷା,
ହୃଦୟରେ ଥାନ୍ତା ଖାଲି ଶୁଦ୍ଧ ଭାବ
ପୂରଣ ହୁଅନ୍ତା ଏ ମନର ଆଶା।
ହାତଧରି ଚାଲୁଥାନ୍ତା ବାଟସାରା
ପଡିଲେ ଝୁଣ୍ଟି ଉଠାଇ ଥାନ୍ତା ବେଗେ,
ନିର୍ବିକାର ରହି ସାଥେ ମୋର ସଦା
ଅଜାଡି ଦିଅନ୍ତା ସବୁ ଅନୁରାଗେ।
ତ୍ୟାଗର ମୂଲ୍ୟ ବୁଝନ୍ତା ଠିକ୍ ଠିକ୍
ବିନିମୟ ହୁଅନ୍ତା ମନର ଭାବ,
ଦାନ ପ୍ରତିଦାନର ମହତ୍ଵ ବୁଝି
ଶାନ୍ତିମୟ କରୁଥାନ୍ତେ ଏଇ ଭବ।
ନିଜ ସ୍ୱଭାବ ଚରିତ୍ରର ସାଥୀଟି
କାହିଁ ଖୋଜିଲେ ଅବା ପାଉଛି କିଏ ?
ସହି ବହୁ କଷ୍ଟ ବାଧା ବିଘ୍ନ କ୍ଲେଶ
ଚଳୁଛି ମଣିଷ ବଞ୍ଚିଅଛି ଯିଏ।
ନିଜ ନିଜ ପାଇଁ ବ୍ୟସ୍ତ ଆମେ ସବୁ
ସମୟ ଟିକିଏ ନାହିଁ କା ପାଖରେ,
ହୃଦୟକୁ ବୁଝି ଦେବ ସେ ସାନ୍ତ୍ଵନା
ନିଶ୍ବାସ ମାରିବାକୁ ବସି ଶାନ୍ତିରେ।
ଦରଦୀ ବନ୍ଧୁଟିଏ ହୋଇ ବୁଝିବ
ମନ ସାଥେ ମନ ମେଳାଇ ରହିବ,
ଦୁଃଖ ବିପଦର ଭରସା ବିଶ୍ଵାସ
ସାହା ହୋଇ ସାଥୀ ପାଇଁ ଠିଆ ହେବ।
ସୁଦାମା ଶ୍ରୀକୃଷ୍ଣ ଅନ୍ତରଙ୍ଗ ବନ୍ଧୁ
ଆଦର୍ଶ ପଣରେ ଅନନ୍ୟ ବ୍ୟକ୍ତିତ୍ଵ,
ଦୁଇ ଅଙ୍ଗେ ଏକ ଆତ୍ମା ହୋଇଥିଲେ
ଜଗେତେ ଦେଖାଇ ବନ୍ଧୁର ବନ୍ଧୁତ୍ୱ।
ସାଥୀ ପରି ସାଥୀଟିଏ ପାଏ ଯିଏ
ଜୀବନଟା ତାର ଧନ୍ୟ ହୋଇ ଯାଏ,
ସକଳ ଐଶ୍ୱର୍ଯ୍ୟ ବିଭବ ପ୍ରାଚୁର୍ଯ୍ୟ
ନିକଟେ ତାହାର ସବୁ ତୁଚ୍ଛ ହୁଏ।
