STORYMIRROR

Prasanna Kumar Madala

Children Stories

3  

Prasanna Kumar Madala

Children Stories

ମିଳିମିଶି ଥିବା

ମିଳିମିଶି ଥିବା

1 min
11.6K

ମିଳିମିଶି ଥିବା ( ଶିଶୁ କବିତା )


ମାଛ ଦେଖି ଜଳେ   ଅତି ଲୋଭ ବଳେ

ମୁରୁକି ହସଇ ବଗ

ଖାଇ ସାରି ଡାଳ     ପରେ ମାଳମାଳ

ଧଳା ଦିଶେ ଗଛ ଅଗ ।

ହାତୀ ପଲ ପଲ     ଜଙ୍ଗଲରେ ଭଲ

ଚରୁଥାନ୍ତି ମିଳିମିଶି

ଦନ୍ତାହାତୀ ଖାଲି   ଏଣେତେଣେ ଚାଲି

ଏକୁଟିଆ ଯାଏ ଦିଶି ।

ଦଳେ ଥାଇ ହନୁ     ଫଳ ଖାଏ ବନୁ

ସାଥିରେ ସଭିଙ୍କୁ ନେଇ

ଅମାନିଆ ଯିଏ      ତଡା ଖାଏ ସିଏ

ମୁହଁକୁ ଶୁଖାଇ ଦେଇ ।

ଥିବା ଯୋଗୁଁ ଦଳେ    ଏକତାର ବଳେ

ମହୁ ସଞ୍ଚେ ମହୁମାଛି

ଦେଖ ଧାଡ଼ିବନ୍ଧା     ପିମ୍ପୁଡି ଓ ଜନ୍ଦା

ଆହାର ନିଅନ୍ତି ବାଛି ।

ଦଳ ହେଲେ ସିନା    ପ୍ରାଣଭୟ ବିନା

ସୁଖରେ ଥାଆନ୍ତି ପ୍ରାଣୀ

ସଙ୍ଗେ ଥିଲେ କାହା   ମିଳିଯାଏ ସାହା

ବିପଦ ଆପଦ ଜାଣି ।

ପାଠ ପଢା ବେଳେ ସାଙ୍ଗସାଥୀ ମେଳେ

ଶ୍ରେଣୀରେ ଏକାଠି ବସୁ

କଷ୍ଟ ଅଙ୍କମାନ       ହୁଏ ସମାଧାନ

ମିଳିମିଶି ଯେବେ କଷୁ ।

ଖେଳିବାର ପାଇଁ     ପଡିଆକୁ ଧାଇଁ

ହୋଇଯାଉ ଦୁଇ ଦଳ

ଝଗଡା ନକରି      ହେଉ ଧରାଧରି

ମିଳଇ ସୁଖର ଫଳ ।

ମିଶିଥିଲେ ମନ       ବନ୍ଧୁ ପରିଜନ

ଗହଣରେ ଲାଗେ ଖୁସି

କେହି ଏକୁଟିଆ   ଥିଲେ ଲାଗେ କିଆଁ

ଯାଇଥିବ କାଳେ ରୁଷି ।


Rate this content
Log in