ମିଛ ସଂପର୍କ
ମିଛ ସଂପର୍କ
ନିଜ ସ୍ତ୍ରୀ କୁ ଭଲପାଇବା କୈାଣସି ଏକ ବିରଳ ଘଟଣା ନୁହେଁ। ଥରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଏସବୁ ନିୟମର ଅନ୍ତର୍ଭୁକ୍ତ ହୁଏ। ଏସବୁରେ ପଡିବାକୁ ଚାହୁଁନଥିବା ବ୍ୟକ୍ତି ବିବାହ ବନ୍ଧନରେ ଆବଦ୍ଧ ହେବା କଥା ନୁହେଁ।
******************************
ମୁଁ ମୋ ଦୁନିଆରେ ବେଶ୍ ଖୁସିରେ ଥିଲି
ମୋର ଗୋଟିଏ ସୁନ୍ଦର ପରିବାର ଥିଲା,
ଆଉ ତୁମେ ଗୋଟେ ନୁଆ ଦୁନିଆର ସ୍ୱପ୍ନର
ମୋତେ ମୋହରା କରିବାରୁ ମୋ ବିଶ୍ୱାସ ସବୁ ଭାଙ୍ଗିଗଲା।
ତୁମେ ତ କହିଥିଲ କି ସେ ଦୁନିଆରେ
ସ୍ନେହ, ପ୍ରେମ ଆଉ ବିଶ୍ୱାସ ଭରପୁର ଅଛି,
ହେଲେ ସେ ଦୁନିଆରେ ପ୍ରବେଶ କରିବା ମାତ୍ରେ
ଛଳନାକୁ ଛାଡି ଆଉ ପାଇଲିନି କିଛି।
ଅନୁଭବ କଲିକି ତୁମ ଜୀବନରେ ମୋ ପାଇଁ
କେବେହେଲେ ଖାଲି ଯାଗା ନଥିଲା,
ଆଉ ଭଲ ସ୍ୱାମୀ ହେବାର ତୁଳନା ସବୁ ସମୟରେ
ଭଲ ପୁଅ ହେବା ସହ ଥିଲା।
ଯଦି ମୋ ପାଇଁ ଦେଇଥିବା ସମୟ
ଭଲ ପୁଅ ହେବାରୁ ବଞ୍ଚିତ କରୁଛି,
ତା ହେଲେ ମୋତେ ତୁମ ଜୀବନରେ ଆଣିବାଟା
ବହୁତ ବଡ଼ ଭୁଲ ହୋଇଯାଇଛି।
କ'ଣ ଭାବି ମୋତେ ତୁମ ଜୀବନରେ ଆଣିଲ
ମୋର କ'ଣ କିଛି ଭାବନା ନାହିଁ,
ମୋର କ'ଣ ଘର ନଥିଲା ଏତେ ବଡ
ଦୁନିଆରେ ମୋତେ ଏକୁଟିଆ କଲ କାଇଁ ।
ଯଦି ସ୍ତ୍ରୀ ଟିଏ ତା ପସନ୍ଦରେ
ଭଲ ଝିଅଟିଏ ହେବାକୁ ଚେ଼ଷ୍ଟା କରିବ,
ତା'ର ପରିବାରର ଆବଶ୍ୟକତା ଅଛି
ହେଲେ ତୁମେ କ'ଣ ଏସବୁ ହେବାକୁ ଦେବ?
ଅବଶ୍ୟ ଏସବୁ ଗ୍ରହଣୀୟ ନୁହେଁ
ସହ୍ୟ କରିବାର କ୍ଷମତାର ମଧ୍ୟ ବାହାରେ,
ସେ ଯଦି ବାପା, ମା' ଙ୍କର ଆବଶ୍ୟକତାକୁ
ଆଗରେ ରଖି ସ୍ୱାମୀକୁ ଅଣଦେଖା କରେ।
କ'ଣ ଏସବୁକୁ ତୁମେ
ଅତି ସହଜରେ ନେବ,
ମୁଁ ଯେତେଦୂର ଜାଣିଛି ତୁମ
ପାଇଁ ନିହାତି ଏସବୁ ଅସମ୍ଭବ।
ତୁମକୁ ପ୍ରତ୍ୟେକ ଥର ନିଜ ଲୋକ ପାଇଁ
ଭଲପାଇବାର ପ୍ରମାଣର ଆବଶ୍ୟକତା ନାହିଁ,
ପ୍ରମାଣ ଏବଂ ତୁଳନାର ଆବଶ୍ୟକତା
ସଂପର୍କର ରଜ୍ଜୁକୁ ଦେଉଛି ଛିଡେଇ।
ଏସବୁକୁ ଜୀବନରେ
ନିହାତି ସଜାଡିବାର ଅଛି,
କାରଣ ତୁମ ଭୁଲ ପାଇଁ
ଆଉଜଣେ ଯେ ବଳି ପଡିଯାଉଛି।
ଜୀବନର ସବୁଠାରୁ ବଡ ଭୁଲ
କାହା ଭାବନା ସହ ଖେଳିବା,
ଆଉ ନିଜ ପରିବାରକୁ ଖୁସିରେ ରଖିବାର
ପ୍ରୟାସରେ ଅନ୍ୟକୁ ଅଦରକାରୀ ଭାବିବା।
ନିଜର ସ୍ତ୍ରୀ କୁ ଭଲପାଇବା
କୌଣସି ବିରଳ ଘଟଣା ନୁହେଁ,
ଥରେ ବିବାହ ବନ୍ଧନରେ ବାନ୍ଧି ହେଲେ
ଏସବୁ ନିୟମ ବୋଲାଏ।
ଯଦି ଏସବୁରେ ପଡିବାକୁ ଚାହୁଁନ
ତାହା ହେଲେ ବାହା ହୁଅନାହିଁ,
ଆଉ କେଉଁ ଝିଅର ଭାବନା ସହ
ଖେଳିବାର ହକ୍ ଯେ ତୁମର ନାହିଁ।
