STORYMIRROR

Chinmaya Kumar Nayak

Others

4  

Chinmaya Kumar Nayak

Others

ମିଛ କବିତା

ମିଛ କବିତା

1 min
564

ଗୋଟା ପଣେ ଆଜି ନିଜକୁ ଉତ୍ତାରି

ମୁଁ କବିତା ଲେଖିବି ଭାବୁଛି 

ସବୁଥର ପରି କଲମ ମୁନଟା

ମୋ ଅଧାରୁ ଅଟକି ଯାଉଛି। 


ସତେ କେଡ଼େ ସଙ୍କଟରେ ପଡିଛି !

ନିଜକୁ ନିଜଠୁ ଲୁଚେଇ ମୁଁ ଆଜି

ମିଛ କବିତାଟେ ଲେଖୁଛି।। 


କଳ୍ପନାର ଶତ ନବ ଦୁର୍ବାଦଳ

ହୃଦ ଅଗଣାରେ ଉଙ୍କି ମାରୁଛି 

ବାସ୍ତବ ଚିତ୍ରଟେ ଉତ୍ତାରିବି ଭାବି

ମୁଁ ନକଲି ନକ୍ସାଟେ ଆଙ୍କୁଛି। 


ଆଜି ସତେକି ନିଜକୁ ଠକୁଛି 

କଳଙ୍କକୁ କଳା ଟୀକା ବୋଲି କହି

ମୁଁ ଗୌରବରେ ବାଟ ଚାଲୁଛି।। 


ହସର ମଉଜ ଆସର ଭିଡରେ

କେତେ କୋହ ପାଦ ତଳେ ମରୁଛି 

ମୋ ଭିତରର ମଣିଷତ୍ୱ କେବେ

ଲୁଚି ଗୁମୁରି ଗୁମୁରି କାନ୍ଦୁଛି। 


ଭଲା ଭାଗ୍ୟ ମୋ ପରୀକ୍ଷା ନେଉଛି 

ବେଶୀ ହସିଦେଲେ ଲୁହ ଆସିଯାଏ

ମୁଁ କାନ୍ଦି କାନ୍ଦି ପୁଣି ହସୁଛି।। 


ମିଛର ଶୃଙ୍ଖଳ ଉପରେ ମୁଁ ଆଜି

ସୁନାର ପ୍ରଲେପ ଲେପୁଛି 

ଭିତରେ ମୋ ଶତ ଆଗ୍ନେୟଗିରି

ମୁଁ ଶୀତଳ ସଙ୍ଗୀତ ଗାଉଛି।


ଯିଏ ଯାହା ଭାବୁ ଭାବୁଛି 

ମୁଁ କିନ୍ତୁ ଅଙ୍ଗାର ସାଜିବାକୁ ରାଜି

ମୋ କାଗଜଟି ସ୍ୱଚ୍ଛ ରହିଛି।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍