ମହାଶିବରାତ୍ରୀ
ମହାଶିବରାତ୍ରୀ
ମହାଶିବରାତ୍ରୀ ଆସିବାରୁ ନାତି
ହୋଇ କହେ ସଜବାଜ
ଶିବଙ୍କ ଦର୍ଶନ ଯିବା ଚାଲ ଅଜା
ବରଷକେ ଆସେ ଆଜ
ହୃଦକୁ କରି ମଉଜ
ସମର୍ପଣ କରି ସନ୍ତୋଷ ହୋଇବା
ନାମକୁ ଥରେ ତ ଭଜ।୧
ଫଗୁଣର ଏହି ଅବଦାନ ଅଟେ
ଈଶ୍ବରଙ୍କୁ ପୂଜିବାକୁ
ଭକତି ଅନ୍ତରେ ସ୍ଥାପି କି ପୂଜିବା
ଭବିଷ୍ଯରେ ରହିବାକୁ
ଦେଖିକି ଅଜା ହସକୁ
ମନ ଗହନଟା ଆନ୍ଦୋଳିତ ହେଲା
ଅଜା ନେବେ ନିଶ୍ଚେ ତାକୁ।୨
ଅଜା ବାହାରିକି ଡାକିଲେ ନାତିରେ
ଉଚ୍ଛର କରୁଛୁ କିଆଁ
ଶିବ ମନ୍ଦିରରେ ଘଣ୍ଟ ଆଉ ଘଣ୍ଟା
ଶୁଣୁନୁ କି ଛାଆଁଛାଆଁ
ତୁ ବି ଧର ଶିବ ନାଆଁ
ଭିଡ଼ ହୋଇଯିବ ବେଗେବେଗେ ଚାଲ
ଧରିଥା ଦୀପକୁ ମୁଆଁ।୩
ବଡ଼ ସରାଗରେ ଆନନ୍ଦେ ଚାଲିଲୁ
ସଞ୍ଜ ମୁହଁଟାରେ ଦୁହେଁ
ବାଟରେ ବୁଢା଼ଟେ ଖାଇବାକୁ ମୋତେ
ଆକୁଳେ ଅନାଇଁ ଚାହେଁ
ନ ଭାବି ଦେଲି ତା ମୁହେଁ
ଟାଉଟାଉ କରି ଖାଇକି କହିଲା
ଦୀର୍ଘାୟୁ ହୋଇବ ଭୂମେ।୪
ହାତର ମୁଆଁକୁ ଖାଇକି କହିଲା
ଦେବ କି ଦୀପଟି ବାବୁ
ଶିବଙ୍କ ସମ୍ମୁଖେ ଜଳେଇ ବସନ୍ତି
କଅଣ କିଛି କି ଭାବୁ
ଦୟାମନେ ରଖିଥିବୁ
ବଡ଼ ମନ ହୁଏ ଜଳେଇ ଦୀପକୁ
ଶିବଙ୍କୁ କରନ୍ତି କାବୁ।୫
ଦେଲି ମୁଁ ବଢେ଼ଇ ନିଃସଙ୍କୋଚ କରି
ଭାବି କି ମନେ ଶିବଙ୍କୁ
ବୁଢା଼ଟି ଉଭାନ ଚାହୁଁଚାହୁଁ ହେଲା
ଦେଖି ନ ପାରିଲି ତାଙ୍କୁ
ଅଜବ ଆହା ଦୃଶ୍ଯକୁ
ସତେ କି ପରୀକ୍ଷା ସକାଶେ ବୁଢା଼ଟି
ଆସିଛି ତାର ପାଖକୁ।୬
ମହାଦୀପ ଯେବେ ଚୂଳକୁ ଉଠିଲା
ଦେଖିଲି ସେହି ବୁଢା଼କୁ
କେବେ ଶିବ କେବେ ବୁଢା଼ ରୂପ ତାର
ଧନ୍ଯ ହୋଇଲି ନିଜକୁ
ପ୍ରଣାମ କଲି ମୁଁ ତାଙ୍କୁ
ହୃଦୟ କୋଣରେ ଆନନ୍ଦ ଲହରି
ଭାଷା ନାହିଁ ବର୍ଣ୍ଣିବାକୁ।୭
