ମହାଧନ
ମହାଧନ
1 min
393
ଯେତେ ବାଣ୍ଟିଲେ କେବେ ସରେନି
ଚୋରମାନେ ପାରନ୍ତିନି ନେଇ
ଦାନ ପରେ ବି ଭଣ୍ଡାର ପରିପୂର୍ଣ୍ଣ
ଧନ ମଧ୍ୟେ ଅଟଇ ସେ ମହାଧନ ।
ଅନ୍ଧାରୁ ଆଲୁଅ ଆଡକୁ
ବାହାରିଥିବା ରଶ୍ମିଟିଏ
ପରିବ୍ୟାପ୍ତ ଅସୀମ ଶକ୍ତି ତାର
ଅମୃତ ଝରାଏ ହୃଦୟେ ସବୁଦିନ ।
ଶିକ୍ଷାର ନିକିତିରେ ଭାରିପଡେ
ସମସ୍ତଙ୍କଠାରୁ ପାଲାଟି ତାହାର
ଟଙ୍କାରେ ତଉଲି ହୁଏନି ତାର ମୂଲ
ଦୁର୍ମୂଲ୍ୟ ଅଟଇ ପରା ସେ ଜାଣ ।
ହଜିଯାଏନି କି ହୁଏନି କ୍ଷୟ
ସୁନା ପରି ଘଷିମାଜି ଦେଲେ ଥରେ
ଚକ୍ ଚକ୍ କରୁଥାଏ ଜ୍ଞାନର ଘର
ଦୂର କରିଦିଏ କେତେ ଅମା ଅଜ୍ଞାନ ।
ରଖିବାକୁ ଲୋଡା ନାହିଁ ଭଣ୍ଡାର ଘର
କି ତାଲା ଚାବି କବାଟ
ଉନ୍ମୁକ୍ତ ଦିବ୍ୟ ଆଲୋକେ
ବିଛୁରିତ ମନେ ସୂକ୍ଷ୍ମ ଚେତନ ।
ଯାହାପାଶେ ଅଛି ଏ ରତନ
ଅସମ୍ଭବ ସବୁ ସମ୍ଭବ ତା ପାଇଁ
ଆଙ୍ଗୁଳି ଟିପେ ଘୁରିବ ପୃଥିବୀ
ହାସଲ କରିଥିଲେ ଏ ମହାଧନ ।
