STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ମେଘ

ମେଘ

1 min
238


ମେଘରେ ମେଘ ଆକାଶ ଦେଶେ କେଉଁଠୁ ଆସୁ ଭାସି

ବରଷା ଋତୁ ଆସିଲେ ମୁହଁ ଦେଇ ଦେଖାଉ ହସି

ଜୀମୂତ ତଳେ ଜହ୍ନ ସାଥିରେ ‌ଖେଳୁ କି ବାଘ ବାଜି

ରାତି ପରିକା ଦିନ ଦିଶଇ ସୂରୁଯ ଯାଏ ହଜି

ଘୋଡେ଼ଇ ଦେଉ ସାରା ଆକାଶ ସହସା କାହୁଁ ଆସି

ମେଘରେ ମେଘ ଆକାଶ ଦେଶେ କେଉଁଠୁ ଆସୁ ଭାସି ।।


ବାଆ ବତାସ ମେଘର ମିତ ଆସିଲେ ଆସେ ମାଡ଼ି

ରହି ରହିକା ମେଘ ଭିତରୁ ମାରଇ ଘଡଘଡି

ରଡି କୁହାଟ କେତେ ବିକଟ ମନରେ ଆଣେ ଶଙ୍କା 

ଭୀମ ଭୈରବ ଗର୍ଜନ ତା’ର ବରଷା ରାଣୀ ସଖା

ବରଷା ଝରେ କୁହାଟ ମାରେ ସହସା ମେଘ ଆସି

ମେଘରେ ମେଘ ଆକାଶ ଦେଶେ କେଉଁଠୁ ଆସୁ ଭାସି ।।


ରହି ରହିକା ଖେଳେ ଚପଳା ୟେ କାଦମ୍ବିନୀ ତଳେ

ଅଗ୍ନିହୁଳା କି ଖସି ପଡିବ ଆକାଶୁ ଭୂଇଁ ପରେ

ଆଖି ଝଲସା ଅସେ ସହସା ପୁଣି ଯାଏ ଉଭେଇ

ଅଦ୍ଭୁତ ଖେଳେ ଘନେ ତଡିତ ଅଶନି ଗରଜଇ

ଜିମୂତ ଭାସେ ଶୂନ୍ୟ ଆକାଶେ କୃଷକ ହୁଏ ଖୁସି

ମେଘରେ ମେଘ ଆକାଶ ଦେଶେ କେଉଁଠୁ ଆସୁ ଭାସି ।।


ମେଘ ଆସିଲେ ବାସବ ଧନୁ ସାତ ରଙ୍ଗିଆ ରୂପେ

ମୁହଁ ଦେଖାଏ ଉଭେଇ ଯାଏ ଆକାଶେ କଳା ମେଘେ

ମନରେ କେତେ ଜଗାଏ ସ୍ଵପ୍ନ ଏ ପୁରନ୍ଦର ଧନୁ

ଲୁଚି ଗଲେ ବି ଅପାସୋରା ୟେ ପାସୋରି ନୁହେଁ ମନୁ

ସଉଦାମିନୀ ୟେ ବଳାହକେ ଉଠେ କି ସତେ ହସି

ମେଘରେ ମେଘ ଆକାଶ ଦେଶେ କେଉଁଠୁ ଆସୁ ଭାସି ।।


ମେଘ ଆସିଲେ ସାଧବ ବୋହୂ ସବୁଜ ଘାସ ଅଙ୍କେ

ନାଲିଆ ପାଟ ଓଢଣୀ ଟାଣି ଲୁଚି କାହାକୁ ଦେଖେ

ବରଷା କାଳେ ପ୍ରକୃତି କୋଳେ ଫୁଟଇ ଫୁଲ ମାନ 

ବରଷା କାଳେ ଦେବା ଦେବୀଙ୍କ ୟେ ଧରାବତରଣ

ପ୍ରକୃତି ରସେ ଧରଣୀ ହସେ ମେଘ ଯାଏ ବରଷି

ମେଘରେ ମେଘ ଆକାଶ ଦେଶେ କେଉଁଠୁ ଆସୁ ଭାସି ।।

 

  








Rate this content
Log in