STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ମାୟା ସଂସାର

ମାୟା ସଂସାର

1 min
259

ରାତି ପାହିଯାଇ ସକାଳ ହୁଏ

ସୁପ୍ତ ପ୍ରାଣ ଜାଗି ଚଞ୍ଚଳ ହୁଏ,

କର୍ମର ବୋଝ ଧରି ଧାଇଁ ଚାଲନ୍ତି ପାଦ ଯୋଡ଼ିକ

ପୁରେଇ ଚାଲନ୍ତି ଆଶାର ବୋଝ ପରେ ବୋଝ

ଓ ଅଣ୍ଟା ତାର ଆହୁରି ନଇଁ ନଇଁ ଯାଏ,

ତା ସାଥିରେ ନଇଁଯାଏ ସଞ୍ଜ

ସଳିତାର କମ୍ପିତ ଆଲୋକରେ ଦିଶିଯାଏ 

ରାତିର ଭୟାନକ ବିବର୍ଣ୍ଣ ଚେହେରା। 

ସେଇ ଅନ୍ଧାର ଭିତରେ ସେ ନିଜକୁ ଖୋଜୁଖୋଜୁ

ନିଜଠୁ ଦୁରେଇ ଯାଏ ନିଜ ଅଜାଣତରେ

ନିଦ୍ରାର ବନ୍ଦୀଶାଳାରେ ଥାଇ ସେ ସ୍ୱପ୍ନ ଦେଖେ

ନିଜ ମାରାଥନର ଘଟଣାସମୂହ

ଓ ନିଜକୁ ନିଜେ ପ୍ରମାଣିତ କରେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ

ବାସ୍ ପୁଣି ରାତି ପାହେ

ଓ ସେ ଧାଇଁଯାଏ ପୁଣି ସେଇ ନଈ କୂଳକୁ

ତୁଠ ପଥରଟାରେ ଆଉ ଟିକେ ଘୋରି ହେବା ପାଇଁ।। 


ଘଣ୍ଟାକଣ୍ଟା ଟିକ୍ ଟିକ୍ ଶୁଭେ

ଅଗଣାରେ କାଉ ଆସି ରାବେ

ଗଡ଼ିଯାଏ ବେଳ କାଳ ଲିତା ଓ ବିଲିତା

କେଉଁ ସୁଦୂର ଗ୍ରହ ଉପଗ୍ରହର ଚୁମ୍ବକୀୟ ଶକ୍ତିରେ,

ସଂସାରର ଇନ୍ଦ୍ରଜାଲ ତାର ଖେଳ ଦେଖାଏ

ପରଦାର ପଡ଼ିବା ଓ ଉଠିବା ତାଳରେ

ଖାଲି ଫରକ ଏତିକି ଯେ 

ନିର୍ଦ୍ଦେଶକ ଦିଶୁନଥିଲେ ବି ପୂର୍ଣ୍ଣଛେଦ ପଡେ ନାହିଁ

ଏ ବିସ୍ମିତ ଅଭିନୟର ଗାଢ଼ ରୋମାଞ୍ଚରେ। 

ମୁହଁରେ ମଖା ହୋଇଥିବା ରଙ୍ଗ ଲିଭେ ନାହିଁ

ଛାଡ଼ି ଆସିଥିବା ଘର ମନେପଡ଼େ ନାହିଁ

ମାୟାର ଆଖି ଝଲସା ମଞ୍ଚରେ ନାଚି ନାଚି

ପାଦ ତାର ରୁଧିରାକ୍ତ ହୁଏ

ତଥାପି ସେ ମଞ୍ଚର ଆଲୋକ ଲିଭେନା

କି ସମୟ ଆଗରୁ ତାର ସଂଳାପ ସରେନା।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍