ମାଟିଘର
ମାଟିଘର
ଝାଟି ମାଟିଘର ମୋ ସରଗ ପୁର ଯହିଁ ମୁଁ ଜନମ ହେଲି,
ସେଇଠି ଅଛି ମୋ ସ୍ମୃତିର ମହକ ତାକୁ ଖାଲି ଝୁରି ହେଲି |୧|
ଅଳନ୍ଧୁ ମଥାନ ଛୁଇଁ ଧୂଆଁ ଉଠେ ମାଟିଘର କାନ୍ଥ ଦେଇ ,
ସକାଳ ପ୍ରହର ମୁଖ ଦରଶନେ ଭକତି ଉଠଇ ଚେଇଁ |୨|
ସେନେହ ମମତା ତା କାନ୍ଥେ ଲାଗିଛି ସେନେହ ବୋଳାର ଲେପ,
ତାକୁ ଛୁଇଁଦେଲେ ମନ ଲାଖିଯାଏ ଲେଖାହୁଏ ନୂଆ ଗପ |୩|
ଗପ କହୁଅଛି ଜୀବନ କାହାଣୀ ସ୍ମୃତିର ଝଲକ ଦେଇ,
ପିଲା ଦିନ ମେଳ ପୁଣି ଧୂଳି ଖେଳ ମାଟିର ପରଶ ନେଇ |୪|
ନଡ଼ାର ଛାଉଣୀ ଘର ଛାତ ପୁଣି ବରଷାର ଧାର ଝରେ,
ପାଣି ଟୋପା ଭାସେ ହସେ ମୁଁ ଉଲ୍ଲାସେ ଓଳଛା ତଳର କରେ |୫|
ବରଷାରେ ଭିଜି ନାଚେ ମୁଁ ଦୁଆରେ ଟିପି ଟିପି ଝରେ ପାଣି,
ମାଟି କାଦୁଅରେ ନାଚି ନାଚି ଖୋଜେ ଭିଜୁଆ ଆନନ୍ଦ ମୁଣି |୬|
ମାଟି ଗୋଡ଼ି ମିଶା କାନ୍ଥଟିର ହସା ମୋତେ ଯେ ବିଭୋର କରେ ,
ଥିଲେ ଯେତେ ଦୂରେ ଫେରି ଆସେ ଖରେ ସୁଖେ ନିଦ ଆଖି ଭରେ |୭|
ରାତିର ସପନ କରଇ ମଗନ ଜାଗେ ବଇକୁଣ୍ଠ ନିଶା,
ମାଟି ଘର ପରା ବଇକୁଣ୍ଠ ପୁର ସେନେହ ମମତା ମିଶା |୮|
ଜଗତ ଯାକର ସବୁଠାରୁ ବଡ଼ ମୋର ଏଇ ମାଟିଘର ,
ବଡ଼ ତା ହୃଦୟ ବଡ଼ ତା ମରମ ସେନେହରେ ଭରପୁର |୯|
ହୃଦୟ ଗଢ଼ିଛି ପ୍ରୀତି ଭରିଅଛି ଜନନୀ ସେନେହ ଦେଇ ,
ମାଟିଘରଟିକୁ କୋଟି ନମସ୍କାର ମଥା ଯାଉଥାଏ ନଇଁ |