STORYMIRROR

Chinmaya Kumar Nayak

Others

4  

Chinmaya Kumar Nayak

Others

ମାଟି ଘର

ମାଟି ଘର

1 min
179

ଖୋଲା ଆଗଣାର ଲିପା ଚଟାଣରେ

ଚାଲି ଶିଖିଥିଲି ହାତେ ଧରି ଦିନେ କାଠ ଶଗଡ଼ି,

ଓଳି ତଳ ବର୍ଷା ପାଣି ଫୋଟକାରେ

ମୁହଁ ଦେଖୁଥିଲି ଜଳେ ନାଚୁଥିଲି ପାଦ କଚାଡି।


ବୟସର ଏକ ଛୋଟ ଚିରୁଡ଼ା ମୋ

ବିତି ଯାଇଥିଲା ଖଞ୍ଜା ଚାଳିଆର ଉଷ୍ମ କୋଳରେ,

ଧୁଳିଆ ଜନ୍ଦାର କାମୁଡ଼ା ଭିତରେ

ଖେଳି ବୁଲୁଥିଲି ଚପଳ ହୃଦୟେ ଦାଣ୍ଡ ବାରିରେ। 


ମଝି ଅଗଣାର ଛୋଟିଆ ଆକାଶେ

ଜହ୍ନ ଯେବେ ଆସେ କେତେ ମନ କଥା ହୁଏ ତା ସାଥେ,

ବୁଢ଼ୀ ମାଆ କୋଳରେ ରାତି ପାହିଯାଏ

କାହାଣୀ ଛଳରେ ଘୁରି ବୁଲେ ସତେ ରାଇଜ କେତେ। 


ସମୟ ସୁଅରେ ଉଡ଼ିଗଲା ଚାଳ

କଂକ୍ରିଟ ସେ ଘରେ ହେଉନି ସେପରି ଗୋମୟ ଲିପା,

ଦାଣ୍ଡ ଘରେ ଆଉ ଶୁଭେନା ହମ୍ବା ରଡି

ବାଡ଼ିରେ ମାଡୁନି ଆଗଭଳି ଆଉ ଛଚିନ୍ଦ୍ରା ଲତା। 


ନାହିଁ ଆଉ ସେଇ ଆପଣା ପଣର

ମଳୟ ବାସ ବଞ୍ଚିବା ସାଜିଛି ପ୍ରତିଯୋଗିତା,

ଆପଣା ସେ ଘର ସ୍ମୃତିରେ ଜୀବିତ

କେଜାଣି କେବେ ଏ ଘର ପାଲଟିବ ପକ୍କା କୋଠା !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍