ମାତୃ ପ୍ରେମ
ମାତୃ ପ୍ରେମ
ଅତି ସରାଗରେ ଅତି ଜତନରେ
ପାଳିଥିଲି କୋଳ କରି ,
ଜୀବନ ଯନ୍ତ୍ରଣା ସବୁ ଭୁଲିଥିଲି
ତୋ ଖୁସି କାମନା କରି ।
ତୋ ହସରେ ହସ ତୋ କାନ୍ଦରେ କାନ୍ଦ
ମିଳାଉ ଥିଲି ମୁଁ ଦେଇ ,
ମାଆ ଡାକ ତୋର ମୁଖରୁ କେବଳ
କର୍ଣ୍ଣ ଖୋଜେ ରହି ରହି ।
ଢଳ ଢଳ ତୋର ସୁନିଳ ନୟନ
ପଙ୍କଜ ସରସୀ ଜଳେ ,
ପରି ଲାଗୁଥିଲା ନୀଳ ଗଗନ ର
ଅକୁହା ବେଦନା ତଳେ ।
କ୍ରନ୍ଦନ ତୋହର ବୁକୁରେ ଅନଳ
ଢେଉ ଟିଏ କରିଦିଏ ,
ହିଆର ଗହ୍ବରୁ ନିର୍ଝର ଝରରୁ
ଲୋତକ ଝରାଇ ଦିଏ ।
ଛୋଟ ପତଙ୍ଗଟେ ହୋଇ ବୁଲୁଥିଲୁ
ପଣତ କାନିକୁ ଧରି ,
ପକ୍ଷ ଲାଗିଗଲା ଡେଣାରେ ତୋହର
ଦୁରେ ଫିଙ୍ଗି ଦେଲୁ ଧରି ।
ବାଇଆ ଧନରେ ବାଇଆ ଧନ ମୋ
ଖୁସିରେ ରହିଥା ତୁହି ,
ତୋହର ସଂସାର ଆନନ୍ଦିତ ରହୁ
କାମନା କରୁଛି ମୁହିଁ ।
ତୋହର ଯନ୍ତ୍ରଣା ମୋହଠାରେ ମିସୁ
ମୋହର ଖୁସି ତୋ ଠାରେ ,
ପ୍ରଭୁଙ୍କ ଚରଣେ ଏତିକି ମାଗୁଣି
କରୁଛି ମୁଁ ବାରେ ବାରେ ।
