ମାର୍ଗଶୀର ଗୁରୁବାର
ମାର୍ଗଶୀର ଗୁରୁବାର
1 min
140
ଗ୍ରାମ ଶ୍ରୀମନ୍ତିନୀ ଭାରି ତତ୍ପର
ଆସିଛି ପୁଣି ମଗୁଶୁର
ଘର ବାରି ଲିପା ପୋଛା ହେବ
ମହାଲକ୍ଷ୍ମୀଙ୍କର ପୂଜାବାର l
ଝୋଟି ଚିତାରେ ଝଲସେ ଘର
ଦାଣ୍ଡଦ୍ୱାରେ ପୂର୍ଣ୍ଣକୁମ୍ଭ ସାଜେ
ହୁଳହୁଳି ଶବ୍ଦେ କମ୍ପେ ଗାଁ ଦାଣ୍ଡ
ସାଗରନନ୍ଦିନୀ ପୟର ପୂଜେ l
ଥିରି ଥିରି ଚାଲି ତାର
ଶୀତୁଆ ସକାଳ କାକରେ
ଧୂପ ଦୀପ ନଇବେଦ୍ୟ ଅର୍ପଣେ
କମଳାଙ୍କୁ ଆରାଧନା କରେ l
ଭଳି ଭଳି ପିଠା ପଣା
ଶ୍ରଦ୍ଧା ଭରେ ପ୍ରସ୍ତୁତ କରଇ
ମଣ୍ଡା କାକରା ଆରିସା ଚି଼ତୋଉ
ଏଣ୍ଡୁରି ଅଟକାଳି ଯେ କ୍ଷୀରି l
ଭକ୍ତି ଭରେ କର ଯୋଡି
ପ୍ରଣତି ଢାଳେ ବିଷ୍ଣୁପ୍ରିୟା ପଦେ
ମିନତୀ ଜଣାଏ ଦୟାକର ମାଆଗୋ
ସଦା ସମ୍ପଦେ ବିପଦେ l
