ମାମୁନି ମୁରୁକି ହସୁ
ମାମୁନି ମୁରୁକି ହସୁ
ଉଡି ଉଡି ଗଲେ ବଗ ବଗୁଲୀ
ଝାଡି ଦେଇଗଲେ ପର
ମାମୁନି ଆମର ସକେଇ କାନ୍ଦେ
ଯିବ ବୋଲି ମାମୁ ଘର ।।
ମାମୁ ଘର ଗାଆଁ ବହୁତ ବାଟ
ଆକାଶ ରାଇଜେ ଯାଇ
ଯାଇନି ସେ କେବେ ଦେଖିଛି ଖାଲି
ମାଆଙ୍କ କୋଳରେ ଥାଇ ।।
ଦେଖେଇ ଦେଖେଇ କହନ୍ତି ମାଆ
ଆ' ଜହ୍ନମାମୁ ଆ'
ଦୂର ଆକାଶରେ ରହିଛୁ କିଆଁ
ମାମୁନି ପାଖରେ ଥା' ।।
ଖାଉନି ପିଉନି ଖେଳୁନି ଦଣ୍ଡେ
ଅଝଟ କରେ ସେ ଖାଲି
ବୁଝୁନାହିଁ ସିଏ କହିଲେ ଯେତେ
ମାମୁ ଘର ଯିବା କାଲି ।।
କି ମାମୁ ସତରେ ହୋଇଛ ତୁମେ
କାହିଁକି ଶରଧା ଏତେ
ଦେଖିଲେ ଜାଣିବ ତୁମରି ପାଇଁ
କାନ୍ଦିଲାଣି ସିଏ କେତେ ।।
ମାମୁ ପରି ତୁମେ ମାମୁ ଗୋଟିଏ
ତୁମକୁ ଭାବିଛି ବୋଲି
ପାଖରେ ପାଇଲେ କହିବା କଥା
କହିବ ସେ ମନ ଖୋଲି ।।
ତୁମେ ଆସ ଆସି ପାଖରେ ବସ
ଅବା ସିଏ ଯାଇ ବସୁ
ଯାହା ହେଉ ଟିକେ ସଅଳ ହେଉ
ମାମୁନି ମୁରୁକି ହସୁ ।।
