ମାଆର ମଉଡ଼ ମଣି
ମାଆର ମଉଡ଼ ମଣି
ପତିତପାବନ ଉଡୁଛି ଶ୍ରୀକ୍ଷେତ୍ରେ
ତ୍ରିରଙ୍ଗା ଉଡୁଛି
ଭାରତ ବୁକେ ।
ପାହାଡ଼ ପ୍ରାନ୍ତର ଆକାଶ ସାଗର
ଜାତୀୟ ସଙ୍ଗୀତ
ସୁରେ ମହକେ ।।
ସୁନାର ଭାରତ ଆମ ଆର୍ଯ୍ୟାବର୍ତ୍ତ
ମେଲିଛି ଆଜି ତା'
ରଙ୍ଗ ଓଢଣି ।
ସେଇ ଓଢଣିରେ ଝରଝର ଝରେ
ଶାନ୍ତି ମୈତ୍ରୀ ପ୍ରୀତି
ବିଶ୍ୱ କାହାଣୀ ।।
ଓଢଣି ନୁହେଁ ସେ ସୁନାର ତ୍ରିରଙ୍ଗା
ମାଟି ମା' ଭାରତ
ଶୁଭ ସନ୍ତକ !
ଚିର ବନ୍ଦନୀୟା ସ୍ମୃତି ସ୍ମରଣୀୟା
ଗର୍ବ ଗୌରବର
ପୁଣ୍ୟ ପ୍ରତୀକ ।।
ଗୁରୁ ଗାମ୍ଭୀର୍ଯ୍ୟରେ ଉନ୍ନତ ମଥାରେ
ଫରଫର ଉଡେ
ବିଶ୍ୱ ଭାରତୀ ।
ଆକାଶ ବାହିନୀ,ସୈନିକ ସର୍ବାଗ୍ରେ
ସମ୍ମାନ ଢାଳନ୍ତି
ଫୁଲାଇ ଛାତି ।।
ଗଙ୍ଗା ଗୋଦାବରୀ ନର୍ମଦା କାବେରୀ
ମେରୁ ମହାନଦୀ
ଗାଏ ସଙ୍ଗୀତ ।
ସଙ୍ଗୀତ ନୁହେଁ ତ ସ୍ଲୋଗାନ୍ ଅମ୍ଳାନ
ଭାରତ ମାଆର
ଗୌରବ ଗୀତ ।।
ସହିଦ୍ ମାନଙ୍କ ସ୍ବର୍ଣ୍ଣାଭ ସ୍ମୃତିରେ
ଗଗନ ପବନ
ମଧୁ ମୁଖର ।
ଏଇ ଓଢଣିର ଟେକ ରଖିବାକୁ
କେତେ ଯେ ଝରିଛି
ନୟନ ନୀର ।।
ସବୁଜ କ୍ଷେତ୍ରରୁ ସଙ୍ଗୀତ ଝରୁଛି
ଆନନ୍ଦ ଉଲ୍ଲାସେ
ବନ ମୁଖର ।
ଆବାଳବୃଦ୍ଧଙ୍କ ଶିଶୁ କିଶୋରଙ୍କ
ଆଖିର ଚହଟ
କି ମନୋହର !!
ଯବାନ କିଷାନ ମୁଖରୁ ନିସୃତ
ଜନତା ବି ଗାଏ
ବନ୍ଦେ ମାତରଂ ।
ସୁଜଳା ସୁଫଳା ଶୀତଳ ସମୀରେ
ଜାତୀୟ ସଙ୍ଗୀତ
ଚଳ ଚଞ୍ଚଳମ୍ ।
ହେ ପ୍ରିୟ ତ୍ରିରଙ୍ଗା ମୈତ୍ରୀରଙ୍ଗେ ରଙ୍ଗା
ଗର୍ବ ଗୌରବର
ସ୍ୱୟଂ ପ୍ରତୀକ ।
ମଥା ଟେକି ଆମେ ସମ୍ମାନ ଦେଉଛୁ
ରଖି ଚାଲିଥିବୁ
ତୁମରି ଟେକ ।।
ତିନୋଟି ରଙ୍ଗର ସମାହାର ନୁହେଁ
ବିଶ୍ୱ ଇତିହାସେ
ତୁମେ କାହାଣୀ ।
ଶତ୍ରୁ ଦଳନର ଚଳନ୍ତି ପ୍ରତୀକ
ଭାରତ ମାଆର
ମଉଡ଼ ମଣି ।।
