ମାଆ
ମାଆ
ମାଆ ତୁହି
ମୋର ପାଇଁ
ମମତାର ମନ୍ଦିର,
ମାଆ ତୁହି
ମୋର ପାଇଁ
ସେନେହର ସାଗର ।
ସୁଖେ ଦୁଃଖେ
ସାହା ମୋର
ସ୍ନେହମୟୀ ଜନନୀ,
ମାଆ ତୁହି
ମୋର ପାଇଁ
ପ୍ରେରଣା ପ୍ରଦାୟିନୀ।
ଦୁନିଆଁକୁ
ଆଣିଛୁ ତୁ
ଜୀବନ ପ୍ରଦାୟିନୀ,
ଦଶମାସ
ଦଶଦିନ
ତୋର ଗରଭେ ଧରି
ଦେଇଅଛୁ
ଜନମ ତୁ
କଷଣ ସହ୍ୟ କରି ।
ତୋକୋଳର
ଝୁଲଣାରେ
ଝୁଲାଇଛୁ ତୁ କେତେ
ତୋ ଛାତିରୁ
କ୍ଷୀର ଦେଇ
ବଢାଇଛୁ ତୁ ମୋତେ ।
କେତେ ରାତି
ଉଜାଗରେ
ମୋ ପାଇଁ ତୁ କାଟିଛୁ
ମୋ ପରିସ୍ରା
ଝାଡାରେ ତୁ
କେତେ ଘାଣ୍ଟି ହୋଇଛୁ ।
ଇଏ ବାପା
ଇଏ ଅପା
କହି ଦେଲୁ ଚିହ୍ନାଇ,
ହାତେ ଧରି
ଚାଲିବାକୁ
ଦେଲୁ ମୋତେ ଶିଖାଇ ।
ଅବାଟରେ
ଗଲେ ମୁହିଁ
ନେଉ ବାଟ କଢେଇ,
କାନଧରି
ଗୋଟି ଗୋଟି
ଦେଉ ତୁହି ବୁଝାଇ ।
ମୋଦେହରେ
କଣ୍ଟାଟିଏ
ଫୋଡିବାକୁ ଦେଇନୁ,
ସବୁଦୁଃଖ
ନିଜେ ଭୋଗି
ମୋତେ ଦୁଃଖ ଦେଇନୁ ।
ତୁହି ମୋର
ଶିକ୍ଷାଦାତ୍ରୀ
ପ୍ରେରଣାର ତଟିନୀ
ସ୍ବର୍ଗଠାରୁ
ଗରୀୟସୀ
ସ୍ନେହମୟୀ ଜନନୀ ।
ତୋ ପଣତ
କାନି ତଳେ
ଥିଲେ ମୋ ଭୟ ନାହିଁ
ତୋ ଚରଣ
ଧୂଳି ଏକା
ଲୋଡା ସଦା ମୋପାଇଁ ।
ଦୁନିଆର
ସବୁଲୋକ
ଆସନ୍ତି ନେବାପାଇଁ
ତୁହି ଏକା
ଆସିଥାଉ
କେବଳ ଦେବାପାଇଁ ।
ସବୁ ଲୁହ
ପିଇଯାଉ
ମୋ ମୁଖେ ହସପାଇଁ
ତୋ ଆଶିଷ
ଲୋଡା ମୋର
ବିପଦୁ ରକ୍ଷାପାଇଁ ।
ଦୁନିଆରେ
ସବୁଠାରୁ
ତୁହିଲୋ ମହିୟସୀ
ମୋର ପାଇଁ
ଦେବୀ ତୁହି
ସ୍ବର୍ଗଠୁ ଗରିୟସୀ ।
ମାଆ ତୁହି
ମୋର ପାଇଁ
ଜୀବନର ଆଦର୍ଶ
ଜୀବନରେ
ସଫଳତା
ଦିଏ ତୋର ଆଶିଷ ।
ତୋର ପରି
ଦୁନିଆରେ
ଆଉ କେହି ନାହିଁ
ମୋ ପାଇଁ ତୁ
ରାଜ ରାଣୀ
ତୋ ଉପମା ନାହିଁ ।
ତୁହି ମୋର
ସୁପର୍ହୀରୋ
ଆଶିଷ ପ୍ରଦାୟିନୀ
ତୋର ପାଦେ
ପ୍ରଣମଇ
ପ୍ରେରଣା ପ୍ରଦାୟିନୀ ।