ମାଆ
ମାଆ
1 min
14K
ସ୍ନେହମୟୀ ମାଟି ମୋର
ମାଆଟି ମୋହର,
ମମତାମୟୀ ଜନନୀ କରୁଣାରଧାର।
ତା ସେନେହ ଶରଧାରେ
ଜନମ ମୋହର,
ଯେଉଁଠି ଥିଲେ ବି ବାସ
ଚହଟଇ ତା'ର।
ତା ଅମୂଲ୍ୟ ଦାନେ
ଜଗତରେ ପରିଚିତ,
ସୁଝି ହେବନାହିଁ କେବେ
ସେ ଋଣ ମୂଲ ତ।
କଳକଳ ନାଦେ ବହେ ଅମୃତର ଝର
ପ୍ରତିଦାନେ ନଥାଏତ ପ୍ରତିବାଦ ସ୍ଵର।
ଅଯାଚିତେ ଢାଳିଦିଏ କରୁଣାର ସିନ୍ଧୁ,
ବହୁଅଛି ମୋ ଦେହରେ
ହୋଇ ରକ୍ତ ବିନ୍ଦୁ।
ଜନମଠୁ ମରଣ ସେ
ମୋର ଆପଣାର,
ଦୁଃଖେ କଷ୍ଟେ ସୁଖେ ସଦା
ଥାଏ ମୋ ପାଖର।
ଅଭୟ ଆଶୀଷ ଧାରା
ଝରୁଥାଏ ତା'ର,
କଷଣ,ଯାତନା ସହି
ଦିଏ ସୁଖ ଭାର।
ନାରୀ ରୂପୀ ସର୍ବଂସହା
ଜନନୀ ମୋହର,
ମମତା ମୟୀ ମୋ ମାଆ
ସେନେହ ଭଣ୍ଡାର।
ପ୍ରଣତି ମହାପାତ୍ର
ଫକୀରମୋହନ ନଗର
ବାଲେଶ୍ଵର।
