ମାଆ ସାରଳା
ମାଆ ସାରଳା
ଭୂବନମୋହିନୀ କଲ୍ୟାଣମୟୀଗୋ
ଆଶିଷ ଯେ ଝରି ଆସେ,
ସୂରୁଜ ଉଇଁଲେ ତୁମ ଅଗଣାରେ
ସୁନେଲି କିରଣ ଭାସେ |
ତୁମେ ମାଆ ସାରଳା ଜଗତେ ବିରଳା
ଶୋଭାମୟୀ ଦିବ୍ୟାସତୀ,
ପ୍ରକୃତି ସ୍ୱରୂପା ଭକ୍ତ ବିମୋହିତା
ତୁମେ ଉତ୍କଳ ଭାରତୀ |
କେଉଁ ଯୁଗରୁ ଯେ ରହିଛ ଝଙ୍କଡ଼େ
ପୁରlଣରେ ଲେଖାଅଛି,
ତୁମେ ବିଦ୍ୟାଦାତ୍ରୀ ତୁମେ ମାଆ ଲଷ୍ମୀ
ତୁମେ କାଳୀ, ସରସ୍ୱତୀ |
ଓଡ଼ିଶାରେ ଅଛି ଅଷ୍ଟ ଶକ୍ତିପୀଠ
ତନ୍ମଧ୍ୟରେ ତୁମ ପୀଠ,
ଶାକ୍ତ ଓ ବୈଷ୍ଣବ ତୁମଙ୍କୁ ପୂଜନ୍ତି
ତୁମେ ପରା ଦେବଇଷ୍ଟ |
ପୁରାଣ କହେ ଯେ ଦକ୍ଷ ପ୍ରଜାପତି
ସତୀ ଦେହ ଜାଳିଦେଲେ,
କୋପାବିଷ୍ଟ ଶିବ ପତ୍ନୀ ଦଗ୍ଧ ଅଙ୍ଗ
କlନ୍ଧେ ଧରି ବୁଲୁଥିଲେ |
ଯେଉଁ ଯେଉଁ ଠାରେ ସତୀ ଦଗ୍ଧ ଅଂଶ
ଖଣ୍ଡେ ଖଣ୍ଡେ ପଡୁଥିଲା,
ଶକ୍ତିପୀଠ ଭାବେ ହୋଇ ପରିଚିତ
ତନ୍ତ୍ରେ ପୂଜାପାଠ ହେଲା |
ସତୀଙ୍କର ଜିହ୍ୱା ଝଙ୍କଡ଼େ ଖସିଲା
ଦୁର୍ଗା ମା ସାରଳା ହେଲେ,
ବିଦ୍ୟାଦାତ୍ରୀ ହୋଇ ଜଗତ କଲ୍ୟାଣେ
ମନ୍ଦିରରେ ବିରାଜିଲେ |
ମହାଭାରତର ପୃଷ୍ଠାରେ ଶୋଭିତା
ତୁମ ଗାଥା ଅଛି ଲେଖା,
ବୁଢା, ଚନ୍ଦ୍ରଭାଗା ନଦୀତୀରେ ଥିଲ
ଚନ୍ଦ୍ରଭାଗା ଅବଲୁପ୍ତା |
ପ୍ରମାଣିତ କରେ ତୁମରି ଐତିହ୍ୟ
ହୁଏନସାଙ୍କ ବିବରଣୀ,
ତିର୍ତ୍ତୋଲକୁ ସିଏ ତିରିତୋଲ କହି
ଇତିହାସେ ଗଲେ ଭଣି |
ଆଦିକବି ଭକ୍ତ ସାରଳା ଦାସ ଯେ
ମାତୃକୃପା ଲଭିଥିଲେ,
ମହାଭାରତ ଯେ ସୃଜନୀ ତାଙ୍କର
ଓଡ଼ିଆରେ ଲେଖିଥିଲେ |
କେତେ କବି କେତେ ପାଲା ଗାୟକ ଯେ
ତାଙ୍କରି ଶରଣ ତଳେ,
ମାଆ ସାରଳାଙ୍କ କୃପା ନମିଳିଲେ
ଭାଷା ଆସିବନି ଭଲେ |
ଝଙ୍କଡ଼େ ସୁଦୃଶ୍ୟ ମନ୍ଦିରେ ଶୋଭିତ
ସାରଳାଙ୍କ ପ୍ରତିମୂର୍ତ୍ତି,
ସହାସ୍ୟ ବଦନେ ବୀଣା ଓ ପୁସ୍ତକ
ଘଣ୍ଟି ହସ୍ତେ ଧରିଛନ୍ତି |
ପ୍ରତ୍ୟକ୍ଷ ଦେବୀ ସେ ଭକ୍ତ ମନଜାଣି
ଦେଇଥାନ୍ତି ବର ବାଛି,
ଜନନୀ ପରି ସେ ସନ୍ତାନ ଦୁଃଖକୁ
ବୁଝନ୍ତି ଯେ ନିତିପ୍ରତି |
