ମାଆ ଝଙ୍କଡ଼ ବାସିନୀ
ମାଆ ଝଙ୍କଡ଼ ବାସିନୀ
କରୁଛି କରିବି ତଵ ସ୍ତୁତି ଗାନ
ସୁଲଳିତ ମଧୁଛନ୍ଦେ
ଲେଖୁଛି ଲେଖିବି ତଵ କଥାମୃତ
ନିରତେ ମୁଁ ଅପ୍ରମାଦେ l
ସଦା ପାଶେ ଥାଇ ଦିଅ ମା ବତେଇ
ସାହିତ୍ୟର ଶବ୍ଦାବଳୀ
ତଵ କରୁଣାରେ ଲେଖନୀ ମୋହର
ଦେଉଥାଉ ଶ୍ରଦ୍ଧାଞ୍ଜଳି l
ମୋ ହୃଦ ମନ୍ଦିରେ ରହି ସପ୍ରେମରେ
ଶ୍ରଦ୍ଧା ସିକ୍ତ ନୀର ସିଞ୍ଚି
ମୋ ପ୍ରାଣ ଶୀତଳ କରିଦିଅ ମା'ଗୋ
ଥିବା ଯାଏ ମର୍ତ୍ତେ ବଞ୍ଚି l
ପ୍ରତ୍ୟୁଷେ ପ୍ରଦୋଷେ ପ୍ରତି ମୁହୂର୍ତ୍ତରେ
ତୁମକୁ ସ୍ମରଣ କରି
ଚାଳିବି ଲେଖନୀ ସମାଜ ହିତରେ
ଯେତେ ବିପଦକୁ ବରି l
ସ୍ପଷ୍ଟ ହେଉ ମୋର ସୃଷ୍ଟିର ସମ୍ଭାର
ସତ୍ୟ ଶାନ୍ତି ଦେଉ ଭରି
ସମର୍ପିତ ସ୍ଵରେ ଡାକୁଛି କାତରେ
ପଡ଼ୁ ତବାଶିଷ ଝରି l
ସାମଗ୍ରିକ ସତ୍ତା କବିପ୍ରାଣ ବତ୍ତା
ତଵ ବିନା ସବୁ ବ୍ୟର୍ଥ
ଝଙ୍କଡ଼ ବାସିନୀ ବିଦ୍ୟା ପ୍ରଦାୟିନୀ
ଘେନ ମୋର ପ୍ରଣିପାତ l
