ମାଆ ଆସୁଛନ୍ତି
ମାଆ ଆସୁଛନ୍ତି
ଅଶିଣେ ଆସିଛି ପାର୍ବଣର ଋତୁ
ଶୋଭାର ସମ୍ଭାର ଘେନି
ଶୁଭ୍ର କାଶତଣ୍ତି ଫୁଲ ଶାଢୀ ପିନ୍ଧି
ସଜ୍ଜିତା ଧରଣୀ ରାଣୀ ।
ମାଆ ଆସୁଛନ୍ତି ସରଗ ପୁରରୁ
ଧରା ପୄଷ୍ଟକୁ ଓହ୍ଲାଇ
ଭ୍ରଷ୍ଠାଚାର ଦୂର ଦୁଷ୍ଟଙ୍କୁ ସଂହାର
ଜଗତ କଲ୍ୟାଣ ପାଇଁ ।
ଚଳ ଚଞ୍ଚଳ ଯେତେ ଶକ୍ତିପିଠ
ମାଆଙ୍କର ଆଗମନେ
ଉତ୍ସବ ମୁଖର ମନ୍ଦିର ପ୍ରାଙ୍ଗଣ
ଦୁର୍ଗାଙ୍କର ଆବାହନେ ।
ଜୟ ମାଆ ଦୁର୍ଗେ ମହିଷା ମର୍ଦ୍ଦିନୀ
ସଙ୍କଟ ତାରିଣୀ ମାଆ
ଭିନ୍ନ ଭିନ୍ନ ସ୍ଥାନେ ପାଉଅଛ ପୂଜା
ନେଇ ଭିନ୍ନ ଭିନ୍ନ ନାଆଁ ।
ଝଙ୍କଡେ ଶାରଳା କାକଟ ପୁରରେ
ପାଉଛ ପୂଜା ମଙ୍ଗଳା
ଯାଜପୁରେ ଅଛ ମାତା ବିରଜାଇ
ନୀଳାଚଳରେ ବିମଳା ।
ସମ୍ବଲପୁରରେ ମାଆ ସମଲାଇ
ବାଣପୁରେ ଭଗବତୀ
ବାଙ୍କିରେ ଚର୍ଚ୍ଚିକା ଅଧିଷ୍ଠାତ୍ରୀ ଦେବୀ
ଫେଡନ୍ତି ଦୁଃଖ ଦୁର୍ଗତୀ ।
ତାଳଚେରେ ବିଜେ ଜନନୀ ହିଙ୍ଗୁଳା
କଟକ ଚଣ୍ତୀ କଟକେ
ଏତିକି ପ୍ରାର୍ଥନା ଢାଳି ଦିଅ ମାଆ
ଆଶୀଷ ବାରୀ ମସ୍ତକେ ।
