ମାଆ ଆସୁଛନ୍ତି
ମାଆ ଆସୁଛନ୍ତି
ମଳୟ ସାଥେ କାଶତଣ୍ଡୀ ମଥା ଦୋହଲାଇ,
ସତେ କି ଶରତ ଆଗମନୀ ବାରତା ଆଣିଛି,
କହୁଛି କାନେ କାନେ, ପାର୍ବଣ ଋତୁ ଆସିଛି,
ଗଗନ,ପବନ,ଜହ୍ନ,ତାରା ବସୁଧା କୁ କହୁଛନ୍ତି,
ଦେଖ ,ମାଆ ଆସୁଛନ୍ତି, ମାଆ ଆସୁଛନ୍ତି ।
ପାକଳ ଧାନ ଖେତେ ଗୀତ ର ସୁର ମେଲି,
ଆଗାମୀ ଦିନର ସୁନେଲୀ ସ୍ବପ୍ନରେ ମଜ୍ଜି,
ନବ ଉଲ୍ଲାସ,ନବ ନବ ଆଶା ମନେ ଭରି,
ତୃପ୍ତ ଅନ୍ତରେ ସ୍ବପ୍ନ ଦେଖୁଥାଏ ଚାଷୀ,
ଅଳ୍ପ ଅଳ୍ପ ଇଚ୍ଛାକୁ ରୂପାୟିତ କରି,
ଶକ୍ତିଦାୟିନୀ ,ସୁଖ ପ୍ରଦାୟିନୀ ,କରୁଣା ଦାୟିନୀ,
ମାଆ ଜଗତ୍ ଜନନୀ ଙ୍କୁ ସ୍ଵାଗତ ଜଣାଉଛି।
ଆସ ମାଆ ରିପୁ ବିନାଶିନୀ, ଦୁର୍ଗତି ନାଶିନୀ,
ଧରା ଆଜି ବିପର୍ଯ୍ୟସ୍ତ, ସର୍ବତ୍ର ନୀରବତା ର ରାଜୁତି,
ନାହିଁ କାହିଁ କୋଳାହଳ, ଆତଙ୍କିତ ଧରାବାସୀ,
ସମ୍ପର୍କ ସବୁ ଚାରିକାନ୍ଥ ଭିତରେ ଆବଦ୍ଧ ଆଜି,
ସଭିଙ୍କ ହୃଦେ ଭୟ,ଆଶଙ୍କାର ବତାସ ବହୁଛି,
ଆସ ମାତା ଦୟାମୟୀ,ବିପଦନାଶିନୀ ଦୁର୍ଗେଶ୍ବରୀ,
ଉଦ୍ଧାର କର ମାତା ସମସ୍ତ ବିପଦ ଖଣ୍ଡନ କରି।
ଶୁଭୁ ନାହିଁ ଘଣ୍ଟ, ଶଙ୍ଖ ଧ୍ୱନି, ଶୁଭୁନାହିଁ ମନ୍ତ୍ର ଆବାହନୀ,
ଏ ଧରା ବକ୍ଷେ ନିର୍ଜନ ରାତ୍ରି କାନ୍ଦେ ଗୁମୁରି ଗୁମୁରି,
ମହାମାରୀ ଆତଙ୍କେ ଆକାଶ,ବତାସ,ବି ଭୟ,ତ୍ରସ୍ତ ଆଜି,
ନାହିଁ କାହିଁ କୋଳାହଳ,ନୀରବ,ଶଙ୍କିତ ଆଜି ଦିବା,ରଜନୀ,
ନିଜ ହସ୍ତେ ଜିହ୍ୱା ଛେଦି, ମାନବ ସ୍ବ ଦୁର୍ବୁଦ୍ଧି ବଳୟେ ଭ୍ରମି ଭ୍ରମି,
ସ୍ବ ହସ୍ତେ ସ୍ଥିତ ସମସ୍ତ ଉଲ୍ଲସିତ ମୂହୁର୍ତ୍ତ ଦେଇଛି ହଜାଇ,
ବସୁନ୍ଧରା ସ୍ବ ସନ୍ତାନର କୃତ କର୍ମେ କାନ୍ଦେ ଲୋତକ ଝରାଇ।
ଆସ ମାତା ବିପଦ ହାରିଣୀ, ଶକ୍ତି ପ୍ରଦାୟିନୀ ମାଁ ଜଗଜ୍ଜନନୀ,
ତୁମେ ଯେ ମାଁ ଦୁର୍ଗା, ତୁମେ କାଳୀ, ତୁମେ ଶିବା, ଶଙ୍କର ଘରଣୀ,
ହୁଅ ମାତେ ସଦୟ, ସନ୍ତାନ ଆମେ ଅଟୁ ଯେ ତୁମରି,
ତୁମରି କରୁଣା ଆଶେ କ୍ଷମା ମାଗୁ ଅଛୁ ପୟରେ ତୁମରି,
ଉଦ୍ଧାର କର ମାତେ,ଦୁର୍ଦ୍ଦିନ ସମୟ ସାଗରେ ବୁଡୁଛି ଜୀବନ ତରୀ ,
ଆଜି ଏ ଶାରଦୀୟ ପାର୍ବଣ ଋତୁରେ, ଧରା ବକ୍ଷେ ଆସ ଅବତରି,
ନିର୍ମଳ,ଶାନ୍ତ ଆକାଶ ସମ ମାଁ ତୁମେ, ଆଶିଷ,କରୁଣା ବାରି ଦିଅ ଝରାଇ,
ଶିଶିର ବୁନ୍ଦା ସମ ଦିଅ ମାତା ସୁଖ,ଶାନ୍ତି ,ଏ ସଂସାରୁ ବିପଦ ଦୂର କରି।
ଯୁଗେ ଯୁଗେ ଧର୍ମ, ପୂଣ୍ୟ ସ୍ଥାପନ ନିମନ୍ତେ ଅବତାର ନେଇ,
ଅସହାୟ,ଦୀନ ଜନେ ରକ୍ଷା କର ଦୈତ୍ୟ,ଦାନବ ସଂହାର କରି,
ସତ୍ୟ,ଧର୍ମ , ପୂଣ୍ୟ ର ଜୈତ୍ର ଉଡ଼ୁ ଏ ସଂସାରେ, ପାପ ନାଶକରି,
କରୁ ଆବାହନ, ଗାଇ ସ୍ବାଗତ ସଂଗୀତ ,ଆସ ମାଆ ରିପୁ ବିନାଶିନୀ।।
