ମା
ମା
ତୁମପାଇଁ ମାଆ ବସୁଧା ଚାହିଁଛି
ଶେଫାଳିରେ ମଥା ବାନ୍ଧି,
ଆମେ କିନ୍ତୁ ମାଆ ଘରେ ରହିଅଛୁ
ସତେ ଅବା ଗୃହ ବନ୍ଦୀ ।
ତୁମପାଇଁ ମାଆ ଚାମର ଢ଼ାଳୁଛି
ନଦୀକୂଳେ କାଶତଣ୍ଡି,
ଆମେ କିନ୍ତୁ ମାଆ ବାହାରକୁ ଗଲେ
ମୁଁହରେ ବାନ୍ଧୁଛୁ ତୁଣ୍ଡି ।
ସରୋବରେ କଇଁ ସରମରେ ନଇଁ
ଜୋଛନାରେ ଯାଏ ଭିଜି,
ଏଠିକିନ୍ତୁ ଛୁଆ ଖୋଜେ ତାର ମାଆ
ଲୁହ ସାଗରରେ ଆଜି ।
ତୁମକୁ ସ୍ୱାଗତ କରିବା ପାଇଁକି
ଜହ୍ନ ହସେ ଆକାଶରେ,
ଛୁଅନ୍ତିନି କେହି କରୋନା ରୋଗୀକୁ
ମରେ ଏଠି ଅକାଳରେ ।
ବଧୂଲି ତାହାର ନାଲିନାଲି ଓଠେ
ଗାଏ ତୁମପାଇଁ ଗୀତ,
ବଧୂଟିଏ ଏଠି ସିନ୍ଦୁର ହରାଏ
ଶୁଣିତାର ସ୍ୱାମୀ ମୃତ ।
ଜହ୍ନିଫୁଲ ଫୁଟି ଶୋଭା ପାଉଅଛି
ତୁମ ଆଗମନୀ ପାଇଁ,
ଆମକୁଲାଗେସେ ଥଟ୍ଟା କରୁଅଛି
କୁଆଁରୀ ମାନଙ୍କୁ ଚାହିଁ ।
କୁଆଁରପୁନେଇଁ ଆଗକୁ ଆସୁଛି
ବଜାର ଯିବାକୁ ବାଧା,
ଗୁମୁରିଗୁମୁରି ମନେମନେ କାନ୍ଦେ
ଆଜିସେ କୁଆଁରୀ ରାଧା ।
ସ୍କୁଲ୍ ନଯାଇ ପାଠପଢ଼ା ନାହିଁ
ବସିଛନ୍ତି ପିଲେ ଘରେ,
ସବୁଦୁଃଖ ମାଆ ଜଣାଇଲି ତୋତେ
ବିଚାର କରିବୁ ଥରେ ।
ଆଶ୍ୱିନ ଆସିଛି ଆଶ୍ୱାସନା ଦେବ
ଆଶାରେ ରହିଛୁ ଆମେ,
ଦୁର୍ଗତୀନାଶିନୀ ଆମକୁ ନିରାଶ
କରିବନି କେବେ ତୁମେ ।
